ଜେଏମଜେ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠିକଣା ବଦଳିବ । ଲୋୟର ପିଏମ୍ଜିରୁ ରାଜପଥ (ଏଜିରୁ ରାଜଭବନ) ରାସ୍ତାକୁ ଉଠି ଆସିବ ମୁଖ୍ୟମନ୍ତ୍ରୀଙ୍କ ଠିକଣା । ଅଭିଯୋଗ ପ୍ରକୋଷ୍ଠ ପାଖରେ ଭିଆଇଆଇଆଇଏମ୍ଆର୍-୩ରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବଙ୍ଗଳାରେ ରହିବେ ମୋହନ । ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନବୀକରଣ କାମ ଚାଲିଛି ।ଏବେ ପୂରା ବଙ୍ଗଳାକୁ ନୂଆ ରୂପ ଦିଆଯିବ । ଏବେ ବଙ୍ଗଳାର ମୁଖ୍ୟ ଫାଟକ ରାଜଭବନ- ଏଜି ରାସ୍ତାକୁ ମୁହଁ କରି ରହିଛି । ଏହାକୁ ବନ୍ଦ କରି ଅଭିଯୋଗ ପ୍ରକୋଷ୍ଠ ପାଶ୍ୱର୍ରେ ନୂଆ ଫାଟକ ଖୋଲାଯିବ । ବାସ୍ତୁ ଅନୁସାରେ ଫାଟକ ଖୋଲିବ । ସୁରକ୍ଷା ଦୃଷ୍ଟିରୁ କ୍ୱାର୍ଟର୍ସ ଚାରିପାଖ ପାଚେରୀକୁ ୮ ଫୁଟ ଉଚ୍ଚା କରାଯାଉଛି । ବଙ୍ଗଳା ଭିତର ଓ ପରିସରକୁ ଆକର୍ଷଣୀୟ କରାଯିବ । ସିଭିଲ୍ କାମ ପାଇଁ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହେବ । ସେହିଭଳି ଇଲେକ୍ଟ୍ରିକାଲ୍ କାମ ପାଇଁ ୧ କୋଟି ଓ ପିଏଚ୍ କାମ ପାଇଁ ପ୍ରାୟ ୫୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ।

କ୍ୱାର୍ଟର୍ସ ଚାରି ପାଖରେ ପୁଲିସ ୱାଚ୍ପୋଷ୍ଟ୍ ରହିବ । ଏଜି ଛକରୁ ରାଜଭବନ ଛକ ଅଞ୍ଚଳ ଓ କ୍ୱାର୍ଟର୍ସ ପଛପାଖକୁ ହାଇ ସିକ୍ୟୁରିଟି ଜୋନ୍ କରାଯିବ । ଏହି ରାସ୍ତାର ଏକାଧିକ ସ୍ଥାନରେ ପୁଲିସ ପୋଷ୍ଟ୍ ରହିବ । ମୁଖ୍ୟ ରାସ୍ତାର ଉଭୟ ପାଶ୍ୱର୍ ସମେତ ଫୁଟପାଥ୍ କଡ଼ରେ ଥିବା ସର୍ଭିସ୍ ରାସ୍ତାକୁ ପର୍ଯ୍ୟାପ୍ତ ଆଲୋକୀକରଣ କରାଯିବ । ରାସ୍ତାର ବିଭିନ୍ନ ସ୍ଥାନରେ ପୁଲିସ୍ ୨୪ ଘଣ୍ଟା ଜଗି ରହିବେ ।
ଦୀର୍ଘ ୨୪ ବର୍ଷ ପରେ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଇଅର ମାର୍କ (ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ) କ୍ୱାଟର୍ସକୁ ଫେରିବେ । ୧୯୯୫ରୁ ୧୯୯୯ ମସିହା ଯାଏ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ସରକାରୀ ବଙ୍ଗଳାରେ ରହୁଥିଲେ । ତାଙ୍କ ପରେ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ବି ଏହି ବଙ୍ଗଳାରେ ରହିଲେ । କିନ୍ତୁ ୨୦୦୦ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ବଙ୍ଗଳାରେ ନ ରହି ନିଜସ୍ୱ ଘର ‘ନବୀନ ନିବାସ’ରେ ରହୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ସେ ଅଭିଯୋଗ ପ୍ରକୋଷ୍ଠ କରିଥିଲେ । ଏବେ ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ପୁଣି ଏହି ବଙ୍ଗଳାରେ ରହିବାକୁ ଯାଉଛନ୍ତି ।






