ଜେଏମଜେ ବ୍ୟୁରୋ : ଲୁଟ୍ ପରେ ହତ୍ୟା ଘଟଣା ରେ ଚୌଦ୍ଵାର ମଣ୍ଡଳ କାରାଗାରରେ ସଜା କାଟୁଥିବା ବିହାରର ୨ କଏଦୀ ଚୌଦ୍ଵାର ଜେଲ୍ର ସ୍ପେଶାଲ୍ ସେଲ୍ରୁ ଚମ୍ପଟ ମାରିଛନ୍ତି । ସ୍ପେଶାଲ୍ ସେଲ୍ର ସେଲ୍ କାଟି ବାଉଁଶ ସହାୟତାରେ ଉଭୟ କଏଦୀ ଫେରାର୍ ହୋଇଥିବା ଜଣାପଡ଼ିଛି । ଦଶହରାରେ ଦୁଇ କଏଦୀ ସ୍ପେଶାଲ୍ ସେଲ୍ କାଟି ଚମ୍ପଟ ହୋଇଛନ୍ତି । ତେବେ ସେଲ୍ କାଟିବା ପାଇଁ ବିହାରୀ କଏଦୀଙ୍କୁ କିଏ ଦେଲା ଅସ୍ତ୍ର ? ଜେଲ୍ ଭିତରକୁ କେଉଁଠୁ ଆସିଲା ବାଉଁଶ ? ଜେଲ୍ର ସୁଉଚ୍ଚ ପ୍ରାଚୀର ଡେଇଁବା ପାଇଁ ବାଉଁଶ କିଏ ଯୋଗାଇ ଦେଲା ? ଜେଲ୍ରେ ମୁତୟନ ସୁରକ୍ଷାକର୍ମୀ କ’ଣ କରୁଥିଲେ ? ୨ କଏଦୀ ଫେରାର୍ ହେବା ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନ ଉଛିଠି ।
୮ ମାସ ତଳେ ଯାଜପୁର ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ ଓ ହତ୍ୟା ମାମଲାରେ ଦୁଇ ଜଣ ଚୌଦ୍ଵାର ଜେଲ୍ରେ ସଜା କାଟୁଥିଲେ । ଦଶହରା ରାତିରେ ସ୍ପେଶାଲ ସେଲ୍ କାଟି ବାଉଁସ ମାଧ୍ୟମରେ ଫେରାର୍ ହୋଇ ଯାଇଛନ୍ତି । ୨ କଏଦୀ ଚମ୍ପଟ ହେବା ପରେ ଚୌଦ୍ୱାର ଥାନା ପୋଲିସ ଜେଲ୍ରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଚମ୍ପଟ ଦୁଇ କଏଦୀ ହେଲେ ବିହାରର ରାଜା ସାହାଣୀ ଓରଫ ବିକାଶ ଓ ଚନ୍ଦ୍ରକାନ୍ତ କୁମାର । କଏଦୀ ଫେରାର୍ ହେବା ପରେ ଅଧିକ ତଦନ୍ତ ପାଇଁ ଜେଲ ଡିଆଇଜି ଶୁଭ୍ରକାନ୍ତ ମିଶ୍ର ଚୌଦ୍ଵାର ମଣ୍ଡଳ କାରାଗାରରେ ପହଞ୍ଚିଛନ୍ତି ।
ଦଶହରା ପାଇଁ ସହର ବ୍ୟସ୍ତ ଥିବାବେଳେ ଚୌଦ୍ଵାର ଜେଲ୍ରେ ସୁରକ୍ଷା ବ୍ୟବସ୍ଥାକୁ ଅଣଦେଖା କରାଯାଇଥିଲା କି ? କଏଦୀ ଚମ୍ପଟ ହେବା ପଛରେ ଜେଲ୍ର କେଉଁ କର୍ମଚାରୀଙ୍କ ହାତ ଅଛି ? ସେଲ୍ କାଟିବା ପାଇଁ ଦରକାର ସରଞ୍ଜାମ କଏଦୀ କେଉଁଠି ପାଇଲେ, କିଏ ଦେଲା ? ଏବେ ବିଧିବଦ୍ଧ ତଦନ୍ତ କରି ସମ୍ପୃକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହେଉଛି ।








