ଭୁବନେଶ୍ୱର: ଜେଏମଜେ ନ୍ୟୁଜ : ରାଜ୍ୟ ବିଧାନସଭାର ସ୍ଥାୟୀ ସମିତି (ଷ୍ଟାଣ୍ଡିଂ କମିଟି) ଗଢ଼ା ହେବାରେ ବିଳମ୍ବ ହୋଇଛି । ବଜେଟ ଅଧିବେଶନର ଶେଷ ଦିବସ ସୁଦ୍ଧା ଗଢ଼ା ହେବାର ପରମ୍ପରା ରହିଛି । ହେଲେ ତାହା ଭଙ୍ଗ ହୋଇଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଜେଡି ଓ କଂଗ୍ରେସର ନେତା । ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣେଶ୍ୱର ବେହେରା ଓ କଂଗ୍ରେସର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ବାବଦରେ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଷ୍ଟାଣ୍ଡିଂ କମିଟି ଗଣତାନ୍ତ୍ରିକ ଶାସନ ପଦ୍ଧତିର ଏକ ଅବିଚ୍ଛେଦ ଅଂଶ । ବିଧାନସଭା ବର୍ଷକୁ ମାତ୍ର କିଛି ଦିନ ବସୁଥିବା ବେଳେ, ସ୍ଥାୟୀ ସମିତିଗୁଡିକ ବର୍ଷସାରା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ବ୍ୟୟ ବରାଦ ତଥା ଯୋଜନାର କାର୍ଯ୍ୟାନ୍ୱୟନକୁ ସମୀକ୍ଷା କରି ସକାରାତ୍ମକ ପରାମର୍ଶ ଦେଇଥାଆନ୍ତି ।ଓଡ଼ିଶା ବିଧାନସଭା ଯେବେଠାରୁ ଗଠନ ହୋଇଥିଲା ସେବେଠାରୁ ସ୍ଥାୟୀ ସମିତି ଗଠନ ହେବାର ପରମ୍ପରା କେବେ ଭଙ୍ଗ ହୋଇନଥିଲା । ତେଣୁ ଏହି ଅବହେଳା ବିରୋଧରେ ରଣେନ୍ଦ୍ର, ଗଣେଶ୍ୱର ଓ ଶ୍ରୀ କାଡାମ ରାଜ୍ୟପାଳଙ୍କୁ ଅବଗତ କରିବା ସହିତ ସ୍ଥାୟୀ ସମିତିଗୁଡିକୁ ଯଥା ଶୀଘ୍ର ଗଠନ କରିବା ଦିଗରେ ବାଚସ୍ପତିଙ୍କୁ ନିର୍ଦ୍ଦେଶ କରିବା ପାଇଁ ଅନୁରୋଧ କରିଛନ୍ତି ।





