ଭୁବନେଶ୍ୱର :ଜେଏମଜେ ନ୍ୟୁଜ : ଉତ୍ତର ଓଡିଶାରେ ପ୍ରବାହିତ ନଦୀର ଜଳସ୍ତର ଆଜି ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ବନ୍ୟା ପରବର୍ତ୍ତୀ ସ୍ଥିତିରେ ଲୋକଙ୍କ ଦୁର୍ଦ୍ଦଶା ବଢିବା ଆରମ୍ଭ କରିଛି । ବନ୍ୟା ଦ୍ୱାରା ରାଜ୍ୟର ୫ ଜିଲ୍ଲାରେ ୫ ଲକ୍ଷ ୮୭ ହଜାର ୮୨୨ ଲୋକ ପ୍ରଭାବିତ ହୋଇଛନ୍ତି । ମହାନଦୀର ଜଳସ୍ତର ବଢୁଥିବାରୁ ତଳିଆ ଅଞ୍ଚଳ ଲୋକଙ୍କ ଚିନ୍ତା ବଢିଛି । ସେହିପରି ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ବିସ୍ତୃତ ସମୀକ୍ଷା କରିଛନ୍ତି । ମାନ୍ୟବର ମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ଵତନ୍ତ୍ର ସହାୟତା ଆୟୁକ୍ତ (SRC) ରାଜେଶ ପ୍ରଭାକର ପାଟିଲ୍ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବାଲେଶ୍ଵର ଜିଲ୍ଲାରେ ଓହ୍ଲାଇ ବନ୍ୟା ସ୍ଥିତିର ସମୀକ୍ଷା କରିବେ ରାଜସ୍ବ ମନ୍ତ୍ରୀ ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟରେ ବର୍ଷା କମିଛି । ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀର ଜିଲ୍ଲାରେ ଝିପିଝିପି ବର୍ଷା ହେଇଛି । ଆଜିଠୁ ୧ ତାରିଖ ପର୍ଯ୍ୟନ୍ତ ବିଶେଷ ବର୍ଷା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । କିନ୍ତୁ ୨ ତାରିଖରୁ ପୁନର୍ବାର ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି । ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ହେଉଥିବା ବର୍ଷା ବର୍ତ୍ତମାନ କମ ହୋଇଛି । ବନ୍ୟା ଛାଡିବା କ୍ଷଣି କ୍ଷୟକ୍ଷତିର ଆକଳନ କରାଯିବ । ୩ ଦିନ ମଧ୍ୟରେ ସର୍ଭେ କାର୍ଯ୍ୟ ଶେଷ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସ୍ୱଳ୍ପ ମିଆଦୀ ବ୍ୟବସ୍ଥା କରିବା ଲାଗି କୃଷି ବିଭାଗ ସହ ଆଲୋଚନା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ପୂର୍ବାହ୍ନରେ ବନ୍ୟାଞ୍ଚଳ ଗସ୍ତ ପୂର୍ବରୁ ଲୋକସେବା ଭବନଠାରେ ବର୍ଷା ଏବଂ ବନ୍ୟା ପରିସ୍ଥିତି ସମ୍ପର୍କରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଦାୟିତ୍ଵରେ ଥିବା ବରିଷ୍ଠ ଅଧିକାରୀବୃନ୍ଦଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ ।





