
ଜେଏମଜେ ବ୍ୟୁରୋ : ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ରାଜ୍ୟ ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ସବୁକିଛି ଠିକ୍ଠାକ୍ ରହିଲେ ଆସନ୍ତା ୬ ମାସ ମଧ୍ୟରେ ହୋଇପାରେ ପଞ୍ଚାୟତ ନିର୍ବାଚନ । ଆଉ ଏହାକୁ ନେଇ ଏବେଠୁ ସରଗରମ ହେଲାଣି ରାଜ୍ୟ ରାଜନୀତି । ଗାଁ ଭୋଟରଙ୍କ ମନ ଜିଣିବା ପାଇଁ ତିନି ପ୍ରମୁଖ ଦଳ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି ।ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ସୂଚନା ପରେ ବଢିଛି ରାଜନୈତିକ ଦଳଙ୍କ ଚିନ୍ତା । କିଭଳି ପଞ୍ଚାୟତକୁ ନିଜ ଅଧୀନକୁ ଆଣିବେ, ସେନେଇ ଏବେଠୁ ଆରମ୍ଭ ହୋଇଛି ଅଙ୍କକଷା । ଆଗାମୀ ନିର୍ବାଚନରେ ଗାଁରେ ନିଜ ପତିଆରା ଦେଖାଇବା ତିନି ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ଗତ ସାଧାରଣ ନିର୍ବାଚନରେ ରାଜ୍ୟର ରାଜନୈତିକ ପଟ୍ଟ ପରିବର୍ତ୍ତନ ପରେ ପଞ୍ଚାୟତ ଗଣିତ ମଧ୍ୟ ବଦଳିଛି । ପାରମ୍ପରିକ ଭାବେ ଗ୍ରାମାଞ୍ଚଳର ଭୋଟ୍ ଶାସକ ଦଳ ସପକ୍ଷରେ ଯିବାର ନଜିର ରହିଛି । ହେଲେ ଗାଁ ଗାଁରେ ସରକାରଙ୍କ ଗ୍ରହଣୀୟତା ବଢାଇବା ପାଇଁ ଶାସକ ଦଳକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ ।
ଶାସନରୁ ବାହାରିଥିଲେ ବି ବିଜେଡି ପାଖରେ ପଞ୍ଚାୟତ ସ୍ତରରେ ଏବେ ବି ମଜବୁତ ସଂଗଠନ ଓ ଅନେକ ଆସନ ରହିଛି । ଏହାକୁ ଆଧାର କରି ଦଳ ନିଜର ପୁରୁଣା ଦୁର୍ଗକୁ ବଜାୟ ରଖିବାକୁ ଉଦ୍ୟମ କରୁଛି । ନେତା ଓ କର୍ମୀଙ୍କ ସହ ବୈଠକ କରି ସଂଗଠନକୁ ପୁଣି ସକ୍ରିୟ କରାଯାଉଛି । ସେପଟେ ପଞ୍ଚାୟତ ନିର୍ବାଚନକୁ ନେଇ କଂଗ୍ରେସ ମଧ୍ୟ ନିଜର ନୂଆ ଟିମ୍ ସହ ପ୍ରସ୍ତୁତ ହେଉଛି । ସାମ୍ପ୍ରତିକ ରାଜନୈତିକ ସ୍ଥିତିର ଫାଇଦା ନେଇ ପାରିଲେ ଦଳ ଓ ସଂଗଠନ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରେ ବୋଲି ରାଜନୀତି ସମୀକ୍ଷକମାନେ ମତ ଦେଇଛନ୍ତି ।
ସାଧାରଣ ନିର୍ବାଚନ ପରେ ନୂଆପଡ଼ା ଉପନିର୍ବାଚନ ମଧ୍ୟ ଶାସକ ଦଳ ସପକ୍ଷରେ ଯାଇଛି । ଏହାପରଠାରୁ ବିଜେପି ନିୟମିତ ବୈଠକ ଓ ସଂଗଠନ ସୁଦୃଢ଼ କରିବା ଦିଗରେ କାମ କରୁଛି । ଲୋକଙ୍କ ସହ ସମ୍ପର୍କ ବଢାଇବା ସହ ସରକାରୀ ଯୋଜନାର ପ୍ରଚାରପ୍ରସାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।ଆସନ୍ତା ଏପ୍ରିଲ୍ ୨ ତାରିଖରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପୂର୍ବରୁ ମାର୍ଚ୍ଚ ମାସରେ ୫ଟି ପର୍ଯ୍ୟାୟରେ ନିର୍ବାଚନ କରିବା ନେଇ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି କରୁଥିବା ସୂଚନା ରହିଛି । ୬ ମାସ ପୂର୍ବରୁ ହିଁ ତିନି ଦଳ ନିଜ ନିଜ ରଣନୀତି ଆରମ୍ଭ କରିଦେଇଛନ୍ତି । ତେବେ ଶାସକ ବିଜେପି ନିଜ ଦଖଲ ବଜାୟ ରଖିବ ନା ବିଜେଡି ପୁଣି ଗ୍ରାମୀଣ ଭୋଟ୍ରେ କମବ୍ୟାକ୍ କରିବ? ନା କଂଗ୍ରେସ ନିଜର ପ୍ରଭାବ ବଢାଇବ? ପଞ୍ଚାୟତ ନିର୍ବାଚନରେ କାହା ସପକ୍ଷରେ ଯିବ ଗାଁ ଭୋଟରଙ୍କ ରାୟ, ଏବେ ତା’ ଉପରେ ନଜର ।







