ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ନନ୍ଦନକାନନରେ ଏବେ ନଜର କାଢ଼ୁଛନ୍ତି ୫ ଓରାଙ୍ଗଉଟାନ୍ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଞ୍ଜର ଦୁଇଟି ସେକ୍ସନରୁ ଉଦ୍ଧାର ହୋଇଥିବା ଏହି ୫ଟି ଓରାଙ୍ଗଉଟାନ୍କୁ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ନନ୍ଦନକାନନକୁ ଅଣାଯାଇଛି । ସେମାନଙ୍କ ମଧ୍ୟରୁ କିଛିଙ୍କ ବୟସ ପ୍ରାୟ ଏକ ବର୍ଷ ହୋଇଥିବା ଜଣାପଡ଼ିଛି । ନନ୍ଦନକାନନରେ ପହଞ୍ଚିବା ପରେ ସେମାନଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ୍ରେ ରଖାଯାଇଛି ।ପ୍ରାଣୀ ଚିକିତ୍ସକ, ବନ୍ୟପ୍ରାଣୀ ବିଶେଷଜ୍ଞ ଏବଂ ଫରେଷ୍ଟ ବିଭାଗର ବୈଜ୍ଞାନିକମାନେ ସେମାନଙ୍କ ସ୍ୱାସ୍ଥ୍ୟ ଓ ଆଚରଣ ଉପରେ ଘନିଷ୍ଠ ନଜର ରଖିଛନ୍ତି । ଆବଶ୍ୟକ ଚିକିତ୍ସା ସହ ଖାଦ୍ୟ ଓ ଯତ୍ନ ମଧ୍ୟ ଦିଆଯାଉଛି ।

ପ୍ରାଥମିକ ଭାବେ କିଛି ଦିନ ସେମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖି ସ୍ୱାସ୍ଥ୍ୟାବସ୍ଥା ଏବଂ ଆଚରଣ ପରୀକ୍ଷା କରାଯିବ । ଏହାପରେ ନ୍ୟାସନାଲ ଜୁ ଅଥରିଟିଙ୍କ ଅନୁମତି ମିଳିଲେ ନନ୍ଦନକାନନରେ ସେମାନଙ୍କୁ ରଖିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ତେବେ ୫ ଓରାଙ୍ଗଉଟାନ୍ ଓଡ଼ିଶାରେ ପହଞ୍ଚିଲେ କେମିତି? କିଏ ସେମାନଙ୍କୁ ଆଣିଲା? କେଉଁଠୁ ଆସିଲେ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ତଦନ୍ତକାରୀ । ଓରାଙ୍ଗଉଟାନ୍ ଓଡ଼ିଶା କିମ୍ବା ଭାରତର ସ୍ଥାନୀୟ ପ୍ରଜାତି ନୁହେଁ । ତେଣୁ ଏମାନଙ୍କୁ ବାହାରୁ ଅଣାଯାଇଥିବା ନେଇ ସନ୍ଦେହ କରାଯାଉଛି ।
ଏହି ଘଟଣାର ତଦନ୍ତରେ ସ୍ୱତନ୍ତ୍ର ଟାସ୍କଫୋର୍ସ, ଫରେଷ୍ଟ ବିଭାଗ ଏବଂ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ସାମିଲ ହୋଇଛନ୍ତି । ଓରାଙ୍ଗଉଟାନ୍ମାନେ କେଉଁ ରାସ୍ତାରେ ଓଡ଼ିଶାକୁ ଆସିଥିଲେ, ସେନେଇ ବିଭିନ୍ନ ସମ୍ଭାବ୍ୟ ରୁଟ୍ ଉପରେ ଖୋଳତାଡ଼ ଚାଲିଛି । ବିମାନବନ୍ଦର ଓ ରେଳ ଷ୍ଟେସନ୍ର CCTV ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି । ଅନ୍ୟପଟେ, ଏତେ କମ୍ ବୟସର ଓରାଙ୍ଗଉଟାନ୍ଙ୍କ ପାଇଁ ନନ୍ଦନକାନନରେ ଉପଯୁକ୍ତ ପରିବେଶ ତିଆରି କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ । ସେମାନଙ୍କ ଖାଦ୍ୟ, ରହଣି, ସ୍ୱାସ୍ଥ୍ୟ ଓ ପ୍ରାକୃତିକ ଜୀବନଶୈଳୀକୁ ଧ୍ୟାନରେ ରଖି ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯାଉଛି । ତେବେ ତଦନ୍ତ ଶେଷ ହେଲେ ଏହି ୫ ଓରାଙ୍ଗଉଟାନ୍ କେଉଁଠୁ ଆସିଥିଲେ ଏବଂ କିଏ ସେମାନଙ୍କୁ ଓଡ଼ିଶାକୁ ଆଣିଥିଲା, ସେନେଇ ଅଧିକ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।








