ଜେଏମଜେ ବ୍ୟୁରୋ : ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ତୁହାକୁ ତୁହା ଲଗାଣ ବର୍ଷା ଲାଗି ରହିଛି । ଫଳରେ ଋଷିକୁଲ୍ୟା, ବଡ଼ନଦୀ, ବାଘୁଆ ଓ ଘୋଡ଼ାହାଡ଼ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି । ବିଶେଷ କରି ଗଞ୍ଜାମର ଲାଇଫଲାଇନ୍ ଋଷିକୁଲ୍ୟା ନଦୀରେ ବନ୍ୟା ଆଶଙ୍କା ବଢ଼ିଛି ।
ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ଥିବା ଜାନିବିଲି ଆନିକଟରେ ବିପଦ ସଙ୍କେତ ୧୪ ଫୁଟ ରହିଛି ।ରାତିରେ ସେଠାରେ ୧୩ ଫୁଟ ୪ ଇଞ୍ଚ ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି । ସେହିପରି ଆସିକାରେ ବିପଦ ସଙ୍କେତ ୬ ଫୁଟ ୭ ଇଞ୍ଚ ଥିବା ବେଳେ ୪ ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ଆସିକାର କିଛି ଅଞ୍ଚଳରେ ଋଷିକୁଲ୍ୟା ନଦୀର ପାଣି ପଶିଥିବା ସୂଚନା ମିଳିଛି । ଅନ୍ୟପଟେ ବଡ଼ନଦୀ, ବାଘୁଆ ଓ ଘୋଡ଼ାହାଡ଼ ନଦୀ ଫୁଲୁଥିବାରୁ ସ୍ଥିତି ଜଟିଳ ହେବା ଆଶଙ୍କା ରହିଛି। ସେରଗଡ଼ କୁମାରପାଣି ସ୍କୁଲ ଭିତରକୁ ନଦୀ ପାଣି ପଶିଥିବା ବେଳେ ସେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମଧ୍ୟ ପାଣି ଜମିଛି ।
ଲଗାଣ ବର୍ଷା ଯୋଗୁଁ ଧରାକୋଟ ବ୍ଲକର ଅନେକ ଉପାନ୍ତ ଗାଁର ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। କେତେକ ଗାଁର ଲୋକଙ୍କୁ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ରଖି ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଭଳିଆଗୁଡ଼ା ଗାଁରେ ଗର୍ଭବତୀ ଓ କିଛି ଶିଶୁ ଅସୁସ୍ଥ ଥିବା ଖବର ପାଇ ଧରାକୋଟରୁ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଚିକିତ୍ସା କରିଛନ୍ତି । ସେପଟେ ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଯେକୌଣସି ସମୟରେ ବନ୍ୟା ପାଣି ଗାଁ ଭିତରକୁ ମାଡ଼ି ଆସିବା ଆଶଙ୍କା ରହିଛି । ଏଥିପାଇଁ ସେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗାଁର ଲୋକେ ରାତି ଅନିଦ୍ରା ରହି ପାଳି କରି ଜଗି ରହିଛନ୍ତି ।





