ଜେଏମଜେ ବ୍ୟୁରୋ : ଖୁବ୍ ଶୀଘ୍ର ବନ୍ଦ ହେବ ରେଜିଷ୍ଟ୍ରଡ୍ ପୋଷ୍ଟାଲ ସର୍ଭିସ୍। କାରଣ ଭାରତୀୟ ଡାକ ବିଭାଗ ଏହାର ପଞ୍ଜିକୃତ ଡାକ ସେବାକୁ ବନ୍ଦ କରିବାକୁ ଯୋଜନା କରୁଛି। ବିଭାଗ ଏହି ସେବାକୁ ସ୍ପିଡ୍ ପୋଷ୍ଟ ସହିତ ମିଶ୍ରଣ କରିବାକୁ ଯୋଜନା କରୁଛି। ଡାକ ବିଭାଗ ବନ୍ଦ କରିବ ୫୦ ବର୍ଷ ପୁରୁଣା ଏହି ରେଜିଷ୍ଟ୍ରୀ ଡାକ ସେବା। ଏହାଫଳରେ ଆଉ ପଠାଇ ହେବନି ଦୀର୍ଘ ଦିନ ହେବ ପ୍ରଚଳିତ ରେଜିଷ୍ଟ୍ରି ଚିଠି ବ୍ୟବସ୍ଥା।କାର୍ଯ୍ୟକୁ ଦ୍ରୁତ , ଚିଠିକୁ ସହଜରେ ଟ୍ରାକ୍ କରିବା ଏବଂ ସେବାକୁ ଆଧୁନିକ କରିବା ଲକ୍ଷ୍ୟରେ ଡାକ ବିଭାଗ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି। ତେଣୁ ସେବା ଏହି ରେଜିଷ୍ଟ୍ରୀ ଡାକ ସେବା ସେପ୍ଟେମ୍ବର ପହିଲାରୁ ବନ୍ଦ ହୋଇଯିବ।
ଭାରତୀୟ ଡାକ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ସର୍କୁଲାର ଅନୁଯାୟୀ, ଡାକ ବିଭାଗ ରେଜିଷ୍ଟ୍ରୀ ଡାକ ସେବାକୁ ସେପ୍ଟେମ୍ବର ପହିଲାରୁ ଏହାର ସ୍ପିଡ୍ ପୋଷ୍ଟ ସହିତ ସଂଯୁକ୍ତ କରିବାକୁ ଯାଉଛି। ସରକାର ଦାବି କରୁଛନ୍ତି ଯେ ଏହା କରିବା ଦ୍ୱାରା କାମ କରିବାର ପଦ୍ଧତି ଆହୁରି ଆଧୁନିକ ହୋଇଯିବ। ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ହେଉ କି ବିଦେଶରେ ପଢ଼ୁଥିବା ପିଲାମାନଙ୍କୁ ବ୍ୟାଙ୍କ ଡ୍ରାଫ୍ଟ ପଠାଇବା ହେଉ କିମ୍ବା ରକ୍ଷା ବନ୍ଧନରେ ରାକ୍ଷୀ ପଠାଇବା ହେଉ ଏସବୁ ପାଇଁ ରେଜିଷ୍ଟ୍ରୀ ଡାକ ସେବାବ୍ୟବହାର କରାଯାଇଥାଏ। ସ୍ୱାଧୀନତା ପରଠାରୁ ରେଜିଷ୍ଟ୍ରୀ ଡାକ ସେବାକୁ ବହୁତ ନିର୍ଭରଯୋଗ୍ୟ ବୋଲି ବିବେଚନା କରାଯାଉଥିଲା। ନିଯୁକ୍ତି ପତ୍ର ପଠାଇବା ପାଇଁ ମଧ୍ୟ ସରକାର ଏହାକୁ ବ୍ୟବହାର କରିଆସୁଛନ୍ତି। ଏହାସହିତ, କୋର୍ଟ ଏହା ମାଧ୍ୟମରେ ଆଇନଗତ ନୋଟିସ୍ ପଠାଉଥିଲେ। ନୂଆ ପରିବର୍ତ୍ତନକୁ ନଜରରେ ରଖÒ ଡାକ ବିଭାଗର ସଚିବ ଏବଂ ମହାନିର୍ଦ୍ଦେଶକ ସମସ୍ତ ବିଭାଗ, କୋର୍ଟ, ପ୍ରତିଷ୍ଠାନ ଏବଂ ସର୍ବସାଧାରଣଙ୍କୁ ସେପ୍ଟେମ୍ବର ୧ ସୁଦ୍ଧା ନୂତନ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ କହିଛନ୍ତି। ଉଭୟ ସେବା ଅଗଷ୍ଟ ୩୧ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ,କିନ୍ତୁ ସେପ୍ଟେମ୍ବର ୧ ରୁ ଲୋକମାନଙ୍କୁ ସ୍ପିଡ୍ ପୋଷ୍ଟ ଦ୍ୱାରା ସେମାନଙ୍କର ଜିନିଷ ପଠାଇବାକୁ ପଡିବ। ଏହିପରି ଭାବରେ, ରେଜିଷ୍ଟ୍ରୀ ଡାକ ସେବାର ଏକ ଯୁଗ ଶେଷ ହେବ।








