ଜେଏମଜେ ବ୍ୟୁରୋ : ଚଢ଼ାଉ କରୁଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ପ୍ରମାଣ ଲୁଚାଇବାରେ ଲାଗି ପଡ଼ିଥିଲେ ବିଧାୟକ । ତଥ୍ୟ ଲୁଚାଇବାକୁ ଯାଇ ନିଜର ୨ଟି ଯାକ ମୋବାଇଲ୍ ପାଣିକୁ ଫିଙ୍ଗି ଦେଲେ । ତା’ପରେ ନିଜେ ପାଚେରୀ ଡେଇଁ ପଳାଇବାକୁ ଚେଷ୍ଟା ବି କଲେ । ଫିଲ୍ମରେ ଚୋର ପୋଲିସ ଖେଳ ଭଳି ଇଡିର ରେଡ୍ ବେଳେ ଏମିତି ଖେଳୁ ଖେଳୁ ବିଲ ମଝିରୁ ମାଟି କାଦୁଅ ବୋଳି ହୋଇ ଧରା ପଡ଼ିଛନ୍ତି ଟିଏମସି ବିଧାୟକ ଜୀବନ କୃଷ୍ଣ ସାହା ।
ପଶ୍ଚିମବଙ୍ଗ ସହକାରୀ ଶିକ୍ଷକ ନିଯୁକ୍ତି ଘୋଟଲା ମାମଲାରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁରୱାନ ବିଧାୟକ ଜୀବନ କୃଷ୍ଣ ସାହାଙ୍କୁ ଗିରଫ କରିଛି । ସୋମବାର ଇଡି ବିଧାୟକଙ୍କ ବାସଭବନରେ ଚଢ଼ାଉ କରିବା ବେଳେ ଜୀବନ କୃଷ୍ଣ ପ୍ରଥମ ମହଲାରୁ ତଳକୁ ଡେଇଁ ପାଚେରି ଦେଇ ଖସି ପଳାଇବାକୁ ଚେଷ୍ଟା କରୁଥିଲେ । ଏହା ପରେ ଇଡି ଅଧିକାରୀ ଗୋଡ଼ାଇ ଗୋଡ଼ାଇ ବିଲ ମଝିରୁ କାଦୁଅ ସର ସର ଅବସ୍ଥାରେ ବିଧାୟକଙ୍କୁ ଧରିବାରେ ସଫଳ ହୋଇଥିଲା । ବିଧାୟକ ପାଣିକୁ ଫିଙ୍ଗି ଦେଇଥିବା ୨ ମୋବାଇଲକୁ ଇଡି ଉଦ୍ଧାର କରିବା ସହ ଫରେନସିକ୍ ଲ୍ୟାବକୁ ପଠାଇଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁସାରେ, ସହକାରୀ ଶିକ୍ଷକ ନିଯୁକ୍ତି ଘୋଟଲା ମାମଲାରେ ବିଧାୟକଙ୍କ ଘର ସହ ତାଙ୍କ ଘନିଷ୍ଠଙ୍କ ଠିକଣାରେ ରେଡ୍ କରିଥିଲା । ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି ଯେ, ସହକାରୀ ଶିକ୍ଷକ ନିଯୁକ୍ତି ଘୋଟଲା ମାମଲାରେ ମନି ଲଣ୍ଡରିଂ ହୋଇଛି ଏବଂ ଏହା ସହ ଜଡ଼ିତ ଦେଣନେଣର ପ୍ରମାଣ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ପାଖରେ ଅଛି ।
ଟିଏମସି ବିଧାୟକଙ୍କୁ ଗିରଫ ପରେ ପଚରାଉଚରା ଲାଗି କୋଲକାତାକୁ ନେଉଛି ଇଡି । ବିଗତ ୨ ବର୍ଷ ମଧ୍ୟରେ ସହକାରୀ ଶିକ୍ଷକ ନିଯୁକ୍ତି ଘୋଟଲା ମାମଲାରେ ଟିଏମସିର ଅନେକ ନେତାଙ୍କୁ ଇଡି, ସିବିଆଇ ଜେରା କରିସାରିଲେଣି । ୨୦୨୨ରେ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ସିବିଆଇ ଗିରଫ କରିଥିଲା । ଯାହାକି ପଶ୍ଚିମବଙ୍ଗ ରାଜନୀତିକୁ ପୁରା ଦୋହଲାଇ ଦେଇଥିଲା ।








