ଜେଏମଜେ ବ୍ୟୁରୋ : ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ଉଷ୍ଣତା ବୃଦ୍ଧି ପାଇଛି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରୋ ଯୋଗ ଦେଇଛନ୍ତି। ଏହା ସହିତ ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ସମୀକରଣକୁ ନୂଆ ଦିଗ ଦେଇଛି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଭାପତି ମନମୋହନ ସାମଲ,ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ଜୟନାରାୟଣ ମିଶ୍ର ଏବଂ ଅନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି।
ବିଜେଡିର ପଦଯାତ୍ରାରେ ଜୟ ଢୋଲକିଆଙ୍କୁ ଦେଖିବାକୁ ମିଳିନଥିଲା। ସେବେଠାରୁ ଏକ ପ୍ରକାର ନିଶ୍ଚିତ ହୋଇଥିଲା ଯେ ଜୟ ଢୋଲକିଆ ବିଜେପି ଆଡ଼କୁ ଢଳୁଛନ୍ତି। ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ଦେଖା କରିଥିବା କୁହାଯାଉଛି। ତାଙ୍କୁ ବିଜେପି ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଜୟ ଢୋଲକିଆ ବିଜେପି ପ୍ରାର୍ଥୀ ହେଲେ ନୂଆପଡ଼ାର ଅଙ୍କ ଓଲଟପାଲଟ ହୋଇଯିବ ଏବଂ ବିଜେପିର ବିଜୟ ସହଜସାଧ୍ୟ ହୋଇଯିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ତେଣେ ଏହା ବିଜେଡି ଲାଗି ମୁଣ୍ଡବ୍ୟଥାର କାରଣ ହେବ ଏହା ଏକ ପ୍ରକାର ନିଶ୍ଚିତ ହେଉଛି।






