ଜେଏମଜେର ବ୍ୟୁରୋ : ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଗୁରୁବାର ରାଜ୍ୟର ସବୁ ସାଂସଦଙ୍କୁ ଚିଠି ଲେଖିଛନ୍ତି ନବୀବ । ୧୩୧ ତମ ସମ୍ବିଧାନ ସଂଶୋଧନ ପ୍ରସଙ୍ଗ ଉଠାଇ ବିଜେଡି ସଭାପତି ଗୁରୁବାର ଏହି ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ନବୀନ ରାଜନୈତିକ ପ୍ରତିନିଧିତ୍ୱ ଓ ଅର୍ଥନୈତିକ ସ୍ୱାର୍ଥ କଥା ଉଠାଇଛନ୍ତି ।ଉକ୍ତ ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ଦୀର୍ଘମିଆଦୀ ସ୍ୱାର୍ଥ, ସମାନୁପାତିକ ପ୍ରତିନିଧିତ୍ୱ ଓ ଗୌରମ ଅକ୍ଷୁଣ୍ଣ ରହିବା ଜରୁରୀ । ଡିଲିମିଟେସନରେ ପ୍ରତିନିଧିତ୍ୱ ହାର କମିବା ଜାତୀୟସ୍ତରୀରେ କ୍ଷତି ପହଞ୍ଚାଇବ । ପ୍ରସ୍ତାବିତ ସମ୍ବିଧାନ ସଂଶୋଧନରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯ରୁ ୩.୪କୁ କମିବ । ୬ଟି କ୍ଷତି ସହିବାକୁ ଥିବା ରାଜ୍ୟ ଭିତରେ ଓଡ଼ିଶାକୁ ପଏଣ୍ଟ ୫ କ୍ଷତି ସହିବାକୁ ପଡ଼ିବ । ଓଡ଼ିଶା ଲୋକେ ଆପଣଙ୍କୁ ସଂସଦକୁ ପଠାଇଛନ୍ତି, ଏହା କରିବାକୁ ଦିଅନ୍ତୁନି । ରାଜ୍ୟର ରାଜନୈତିକ ଓ ଅର୍ଥନୈତିକ ସ୍ୱାର୍ଥକୁ ସୁରକ୍ଷା ଦିଅନ୍ତୁ । ଜନସଂଖ୍ୟା ନିୟନ୍ତ୍ରଣ ଓ ମାନବ ସମ୍ବଳର ବିକାଶ ସତ୍ତ୍ୱେ ଓଡ଼ିଶାକୁ ଦଣ୍ଡିତ କରାନଯାଉ । କେନ୍ଦ୍ରୀୟ ରାଜସ୍ୱକୁ ବଡ଼ ଅବଦାନ ସତ୍ତ୍ୱେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ପୂରଣ ଅଦ୍ୟାବଧି ହୋଇନାହିଁ । ଯଦି ଓଡ଼ିଶାର ପ୍ରତିନିଧିତ୍ୱ କମୁନି ତେବେ ସଂଶୋଧନକୁ ସମର୍ଥନ କରିବା ଉଚିତ ବୋଲି ନବୀନ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।
ପ୍ରକାଶ ଯେ ଓଡିଶା ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ଉଠାଇ ୪୮ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୋହନଙ୍କୁ ଚିଠି ଲେଖିଥିଲେ ନବୀନ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଡିଲିମିଟେସନରେ ଓଡ଼ିଶାର ଆସନ ସଂଖ୍ୟା ୨୧ରୁ ୨୯କୁ ବୃଦ୍ଧି ହେଲେ ବି ପ୍ରତିନିଧିତ୍ବ ୩.୪%କୁ କମିବ ବୋଲି ଆଶଙ୍କା କରିଛନ୍ତି ନବୀନ । ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶା ଚତୁର୍ଥ ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟ ହେବ । ତେଣୁ ଓଡ଼ିଶାର ସାମାନ୍ୟତମ ରାଜନୈତିକ ଅଧିକାର କ୍ଷୂର୍ଣ୍ଣ ହେବାକୁ ଦିଆନଯାଉ ବୋଲି ନବୀନ ଦାବି କରିଛନ୍ତି । ଏଥିସହିତ ଯଦି ଓଡ଼ିଶାର ରାଜନୈତିକ ଗୁରୁତ୍ୱ ଓ ସମ୍ମାନ ଅକ୍ଷୁର୍ଣ୍ଣ ରହିବ ତେବେ ଡିଲିମିଟେସନ୍ ବିଲ୍’କୁ ସ୍ୱାଗତ କରିବେ ବୋଲି କହିଛନ୍ତି ।
ବିରୋଧୀ ଦଳ ନେତା ଚିଠିରେ ଦର୍ଶାଇଥିଲେ, “ସମ୍ବିଧାନର ପ୍ରସ୍ତାବିତ ୧୩୧ ତମ ସଂଶୋଧନ ବିଲ୍ ୨୦୨୬ – ସୀମା ପୁନଃ ନିର୍ଦ୍ଧାରଣ ବିଲ ଦ୍ୱାରା ଲୋକସଭାରେ ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ । ଲୋକସଭାର ସଦସ୍ୟ ସଂଖ୍ୟା ୫୪୩ ରୁ ୮୫୦ କୁ ବୃଦ୍ଧି ପାଇବ । ଓଡିଶାର ଲୋକସଭା ଆସନ ସଂଖ୍ୟା ୨୧ ଅଛି ଯାହାକି ମୋଟ ଆସନ ସଂଖ୍ୟାର ୩.୯ ପ୍ରତିଶତ । ଯଦି ସମ୍ବିଧାନ ସଂଶୋଧନ ବିଲ ପାରିତ ହୁଏ, ତେବେ ଲୋକସଭାରେ ଓଡିଶାର ପ୍ରତିନିଧିତ୍ୱ ୨୯ କୁ ବୃଦ୍ଧି ପାଇବ । କିନ୍ତୁ ଆନୁପାତିକ ହାରରେ ଏହା ୩.୯ ପ୍ରତିଶତରୁ ୩.୪ ପ୍ରତିଶତକୁ ହ୍ରାସ ଘଟିବ ।”







