ବରଗଡ଼,ଜେଏମଜେ ନ୍ୟୁଜ (କ୍ଷମାନିଧି ବଣ୍ଡୁକି ): ରାଜ୍ୟରେ ୦୧.୦୭.୨୦୨୬ କୁ ଯୋଗ୍ୟତା ସୂଚକ ତାରିଖ ଭାବେ ଗ୍ରହଣ କରି ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) କାର୍ଯ୍ୟକ୍ରମର ଅଗ୍ରଗତି ପରଖିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ନିଶ୍ଚିତ କରିବା ଲକ୍ଷ୍ୟରେ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଜୁଲାଇ ୨୦, ୨୦୨୬ ରୁ ଜୁଲାଇ ୨୯, ୨୦୨୬ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗସ୍ତ କରି କ୍ଷେତ୍ରସ୍ତରୀୟ ସମୀକ୍ଷା କରୁଛନ୍ତି।
ଏହି ପରିପ୍ରେକ୍ଷିରେ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଦେଶ ପତ୍ର ଅନୁଯାୟୀ, ସିଇଓ କାର୍ଯ୍ୟାଳୟ ର ପ୍ରଶାସନିକ ଅଧିକାରୀ ଶ୍ରୀ ଶାଶ୍ଵତ ପ୍ରଧାନ ବରଗଡ଼ ଜିଲ୍ଲା ଗସ୍ତ କରି ଚିଠା ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ କାର୍ଯ୍ୟକ୍ରମ ବିଶେଷ କରି ଦାବି ଓ ଆପତ୍ତି , ପଞ୍ଜୀକରଣ, ନୋଟିସ୍ ପ୍ରଦାନ ଓ ମାମଲା ଫଇସଲା ପ୍ରକ୍ରିୟାର ଅଗ୍ରଗତିକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିଥିଲେ।
ଶ୍ରୀ ପ୍ରଧାନ ପ୍ରଥମେ ବରଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ବରଗଡ଼ ବିଧାନସଭା କ୍ଷେତ୍ରର ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ (ଏଇଇଆରଓ) ସହ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ଉପ-ଜିଲ୍ଲାପାଳ-କମ୍-ଇଆରଓ, ୦୩-ବରଗଡ଼ ବିଧାନସଭା କ୍ଷେତ୍ର ଉପସ୍ଥିତ ଥିଲେ। ଏହାପରେ ସେ ବିଜେପୁର, ଅତାବିରା ଓ ଭଟଲି ବିଧାନସଭା କ୍ଷେତ୍ରର ବିଭିନ୍ନ ଶୁଣାଣି କେନ୍ଦ୍ର ପରିଦର୍ଶନ କରି ସମ୍ପୃକ୍ତ ଏଇଇଆରଓମାନଙ୍କ ସହ ଦାବି ଓ ଆପତ୍ତି ଶୁଣାଣି କାର୍ଯ୍ୟର ଅଗ୍ରଗତି ଏବଂ ଭୋଟର ତଥ୍ୟ ଅଦ୍ୟତନର ସ୍ଥିତି ସମୀକ୍ଷା କରିବା ପରେ ସେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ବରଗଡ଼ଙ୍କ ସହ ସାକ୍ଷାତ କରି ଚିଠା ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କିତ ତାଙ୍କ ପର୍ଯ୍ୟବେକ୍ଷଣ ଉପସ୍ଥାପନ କରିଥିଲେ।





