ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଗ୍ରାହକ ଙ୍କୁ ଶୋଷଣ କରୁଛି ଟାଟା ପାଓ୍ବାର

Spread the love

ବନେଶ୍ୱର: ଜେଏମଜେ ନ୍ୟୁଜ :ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ ବିଦ୍ୟୁତ୍‌ ଉପଭୋକ୍ତା ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ମାର୍ଟ ମିଟର ଲଗାଇବାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ଟାଟା ପାଓ୍ବାର ପକ୍ଷରୁ ଯେଉଁଭଳି ଢଙ୍ଗରେ ସ୍ମାର୍ଟ ମିଟର ଲଗାଇବା ପାଇଁ ଉପଭୋକ୍ତାଙ୍କ ଉପରେ ଚାପ ପକାଯାଉଛି, ଏହାକୁ ନେଇ ବିଭିନ୍ନ ଅଞ୍ଚଳରୁ ଅନେକ ଅଭିଯୋଗ ଆସୁଛି।

ମାତ୍ର ଓଇଆର୍‌ସିଙ୍କ ପକ୍ଷରୁ ଗତ ଅଗଷ୍ଟ ୧୦ରେ ସୂଚନା ଅଧିକାର ଆଇନ(ଆର୍‌ଟିଆଇ)ରୁ ମିଳିଥିବା ତଥ୍ୟ ଅନୁଯାୟୀ ସବୁ ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟତାମୂଳକ କରାଯାଇନାହିଁ। ଅନ୍ୟପଟେ ଶକ୍ତି ବିଭାଗକୁ ଆର୍‌ଟିଆଇ ମାଧ୍ୟମରେ ଗତ ଜୁଲାଇ ୨୮ରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ବିଭାଗ ଅଗଷ୍ଟ ୫ରେ ସ୍ପଷ୍ଟ ଉଲ୍ଲେଖ କରିଛି ଯେ ସ୍ମାର୍ଟ ମିଟର ଲଗାଇବା ସମ୍ପର୍କରେ କୌଣସି ତଥ୍ୟ ନାହିଁ। ଅର୍ଥାତ୍‌ ସରକାରୀ ବିଭାଗ ଏହି ସ୍ମାର୍ଟ ମିଟରକୁ ବାଧ୍ୟତାମୂଳକ କରିବା ପାଇଁ କୌଣସି ସମୟରେ ନିର୍ଦ୍ଦେଶ ଦେଇନାହିଁ।

ଉଲ୍ଲେଖଯୋଗ୍ୟ, ଯେତେବେଳେ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ବୋଲି ସରକାର ଜାଣିନାହାନ୍ତି ସେଠାରେ ଟାଟା ପାଓ୍ବାର କିନ୍ତୁ ଓଲଟା କାମ କରୁଛି। ଟାଟା ପାଓ୍ବାର ଉପଭୋକ୍ତାମାନଙ୍କୁ ଧଳା କାଗଜରେ କୌଣସି ସରକାରୀ ଦସ୍ତଖତ ନ ଥିବା ଚିଠି ଜବରଦସ୍ତ ଧରାଇଦେଇ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ ବୋଲି କହୁଛି। ନଚେତ୍‌ ଲାଇନ କାଟିଦେବ ବୋଲି ଉପଭୋକ୍ତାଙ୍କୁ ଧମକ ଦେଉଛି; ଯାହା ଓଇଆର୍‌ସିଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ । ଓଇଆର୍‌ସିଙ୍କ ପକ୍ଷରୁ ପ୍ରଥମେ ରାଜ୍ୟର ସବୁ ସରକାରୀ ଅଫିସ୍‌ରେ ସ୍ମାର୍ଟ ମିଟର ସ୍ଥାପନ କରିବା ପାଇଁ କୁହାଯାଇଥିଲା। ସରକାରୀ କାର୍ଯ୍ୟାଳୟରେ ଲାଗିବା ପରେ ଏହା ଉପଭୋକ୍ତାଙ୍କ କ୍ଷେତ୍ରରେ ଲାଗୁ କରିବାକୁ କହିଥିଲେ। ଅନେକ ଜିଲାରୁ ତଥ୍ୟ ସଂଗ୍ରହ କରିବା ପରେ ଜଣାପଡ଼ିଛି, ଏଯାଏଁ ସବୁ ସରକାରୀ ଅଫିସ୍‌ରେ ସ୍ମାର୍ଟ ମିଟର ଲଗାଇବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। କିନ୍ତୁ ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ଏହାକୁ ବାଧ୍ୟତାମୂଳକ କରାଯାଉଛି। ଟାଟା ପାଓ୍ବାରର ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ବିଭାଗ ପାଖରେ ଅନେକ ଅଭିଯୋଗ ପହଞ୍ଚୁଥିଲେ ମଧ୍ୟ ଲୋକଙ୍କୁ କିଛି ସୁଫଳ ମିଳିପାରୁନାହିଁ। ଏଥିରୁ ଟାଟା ପାଓ୍ବାର ସମ୍ମୁଖରେ ସରକାରଙ୍କ ଶକ୍ତି ବିଭାଗର ଅସହାୟତା କଥା ବୁଝାପଡୁଛି।
ଟାଟା ପାଓ୍ବାର କେବଳ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟକରିବା ଭିତରେ ସୀମିତ ନାହିଁ ବରଂ ମିଟର ରେଣ୍ଟ ବାବଦ ଅର୍ଥ ଆଦାୟରେ ବ୍ୟାପକ କେଳେଙ୍କାରୀ କରୁଥିବା ଅଭିଯୋଗ ଆସିଲାଣି। ପୁରୀ ଜିଲାରେ ଜଣେ ଉପଭୋକ୍ତାଙ୍କ ସୂଚନା ମୁତାବକ, ସ୍ମାର୍ଟ ମିଟର ଲଗାଇବାକୁ ରେଣ୍ଟ ଆକାରରେ ଟାଟା ପାଓ୍ବାର ପ୍ରାୟ ୩୭୬୦ ଟଙ୍କା ଆଦାୟ କରୁଛି। ମାତ୍ର ବିଦ୍ୟୁତ୍‌ ବିଭାଗର ଜଣେ ଅତିରିକ୍ତ ସଚିବଙ୍କ ତଥ୍ୟ ଅନୁଯାୟୀ, ଅନ୍ୟ ରାଜ୍ୟଗୁଡ଼ିକରେ ସ୍ମାର୍ଟ ମିଟର ମୂଲ୍ୟ ୨୫୦୦ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଟାଟା ପାଓ୍ବାର କେଉଁ କମ୍ପାନୀ ଜରିଆରେ ସ୍ମାର୍ଟ ମିଟର କିଣୁଛି ତାହାର ତଥ୍ୟ ମଧ୍ୟ ବିଭାଗ ରଖିନାହିଁ। ଟାଟା ପାଓ୍ବାର ତାହା ନିଜ ଇଚ୍ଛାରେ କମ୍ପାନୀ ଚୟନକରି ମିଟର ବିକ୍ରେତାଙ୍କଠାରୁ କିଣୁଛି। ଏହାର ମାନ ସମ୍ପର୍କରେ କୌଣସି ବୈଧତା ବା ସାର୍ଟିଫିକେଶନ ଗ୍ରାହକଙ୍କୁ ଦିଆଯାଉନାହିଁ। ଫଳରେ ମିଟର ରେଣ୍ଟ ବାବଦକୁ ଟାଟା ପାଓ୍ବାର ଅନ୍ୟ ରାଜ୍ୟ ତୁଳନାରେ ଜଣେ ଉପଭୋକ୍ତାଙ୍କଠାରୁ ୧୦୦୦ରୁ ୧୨୦୦ ଟଙ୍କା ଅଧିକ ଆଦାୟ କରୁଥିବା ସେ କହିଛନ୍ତି। ରାଜ୍ୟର ବିଦ୍ୟୁତ୍‌ ଗ୍ରାହକଙ୍କ ସଂଖ୍ୟା ଦେଖିଲେ ଏହି ପରିମାଣ ଆକାଶ ଛୁଆଁ ମନେହୁଏ। ଅନେକ ସମୟରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଅଭିଯୋଗ ମୁତାବକ, ଓଡ଼ିଶାରେ ବିଦ୍ୟୁତ୍‌ ବିତରଣ ଓ ଦେୟ ଆଦାୟ ଦାୟିତ୍ୱରେ ଥିବା ଟାଟା କମ୍ପାନୀ ଜବରଦସ୍ତ ଉପଭୋକ୍ତାମାନଙ୍କ ଘରେ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରୁଛି। ଲୋକଙ୍କ ଘରେ ଷ୍ଟାଟିକ୍‌ ମିଟର ଭଲ ଥିବା ସତ୍ତ୍ୱେ ସେମାନେ କିପରି ସେଗୁଡ଼ିକ କାଢି ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ ହେବେ, ଟାଟା ପାଓ୍ବାର ସେହିଭଳି ପରିସ୍ଥିତି ସୃଷ୍ଟି କରାଉଛି। ଏପରିକି ସରକାରୀ କର୍ମଚାରୀମାନେ ମଧ୍ୟ ଏଥିରୁ ବାଦ୍‌ ପଡୁନାହାନ୍ତି। ଅନେକ ସ୍ଥାନରେ ନିୟମକାନୁନକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇ ଟାଟା ପାଓ୍ବାର ଲୋକଙ୍କ ଘର ଉପରେ ମୋଟା ଅଙ୍କର ଜରିମାନା ପକାଇ ଭଲ ମିଟରକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟକରିବା ସହ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିଦେଉଥିବା ଅଭିଯୋଗ ଆସୁଛି। ଲୋକମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେବାପରେ ଯେତେବେଳେ ସମାଧାନ ପାଇଁ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଯାଉଛନ୍ତି ସେଠାରେ ଥିବା ଟାଟା ପାଓ୍ବାର କର୍ମଚାରୀମାନେ କିଛି ନ ଶୁଣି ସେମାନଙ୍କୁ ଫେରାଇ ଦେଉଛନ୍ତି। ଏପରି ସ୍ଥଳେ ଗୋଟିଏ କଥା ଏଠାରେ ମନେ ପକାଇଦେବାକୁ ଚାହୁଁ, ଗତ ଏପ୍ରିଲ ୧୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଅନ୍ତାଠାରେ ଆୟୋଜିତ ଏକ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କହିଥିଲେ, ଅଘୋଷିତ ବିଦ୍ୟୁତ୍‌ କାଟ୍‌ କଲେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଦଣ୍ଡିତ କରାଯିବା ସହ ଜେଲ ଯିବାକୁ ପଡ଼ିବ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କଥାକୁ ମଧ୍ୟ ଟାଟା ପାଓ୍ବାର ବାଏଁ ବାଏଁ ଉଡ଼ାଇ ଦେଇଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଦିନକ ଭିତରେ ଏକାଧିକ ବାର ଅଘୋଷିତ ବିଦ୍ୟୁତ୍‌ କାଟ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ସାଢେ ୪ ମାସ ବିତିଯାଇଥିଲେ ସୁଦ୍ଧା ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ଜଣେ ହେଲେ ଅଧିକାରୀଙ୍କୁ ଜେଲ ଯିବାକୁ ପଡ଼ିନାହିଁ। ଉଭୟ ଟାଟା ପାଓ୍ବାର ଏବଂ ଶକ୍ତି ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଭିତରେ ରହିଥିବା ଭିତିରି ବୁଝାମଣା କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ପାଣିଚିଆ କରିଦିଆଯିବାର ସୁଚିନ୍ତିତ ଉଦ୍ୟମ ସଫଳ ହେଲା ଭଳି ମନେହେଉଛି।
ଆଶ୍ଚର୍ଯ୍ୟର ବିଷୟ, ବିଦ୍ୟୁତ୍‌ କାଟ ହେଲେ ସ୍ମାର୍ଟ ମିଟରରେ ତାହାର ତଥ୍ୟ ବା ରେକର୍ଡ ରଖିବାର କୌଣସି ବ୍ୟବସ୍ଥା ନାହିଁ। ଅନ୍ୟ ବାଟରେ କହିବାକୁ ଗଲେ, ଟାଟା ପାଓ୍ବାର ଯୋଗାଉଥିବା ବିଲ୍‌ରେ କୌଣସି ଉଲ୍ଲେଖ ରହୁନାହିଁ ଯେ ସେହି ବିଲିଂ ସାଇକେଲ ମଧ୍ୟରେ କେତେଥର ଏବଂ କେତେ ସମୟ ପାଇଁ ସମ୍ପୃକ୍ତ ଗ୍ରାହକଙ୍କୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇଥିଲା। ଗ୍ରାହକମାନଙ୍କୁ ଠିକ୍‌ ଯୋଗାଣକରିବା ବ୍ୟବସ୍ଥା ମଧ୍ୟ ହୋଇପାରୁନାହିଁ। ବିଦେଶରେ ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କର ସ୍ମାର୍ଟ ମିଟର ଲାଗିଛି। ମାତ୍ର ସେଠାରେ ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ବିବରଣୀ ଦିଆଯାଉଛି। ସ୍ମାର୍ଟ ମିଟରର ସମ୍ପୂର୍ଣ୍ଣ ତଥ୍ୟ ମିଳିଲେ ଗ୍ରାହକମାନେ ସ୍ମାର୍ଟ ମିଟର ଲଗାଇବାକୁ ମଙ୍ଗନ୍ତେ, ମାତ୍ର ତାହା ହେଉନାହିଁ। ଟାଟା କମ୍ପାନୀ ଯଦି ସବୁ ତଥ୍ୟ ଦେଇପାରୁନାହିଁ ତେବେ ତାକୁ ସ୍ମାର୍ଟ ମିଟର ଭାବେ ଆଖ୍ୟାଦେବା ଠିକ୍‌ ନୁହେଁ। କେତେ ସମୟ ଦିନରେ ବିଦ୍ୟୁତ୍‌ କାଟ ହେଲା ଏବଂ ଲୋଭୋଲ୍‌ଟେଜ ହୋଇଛି ସେକଥା ବିଲ୍‌ରେ ଉଲ୍ଲେଖ ରହିବା କଥା। ବିଦେଶରେ ଏ ପ୍ରକାର ସବୁ ତଥ୍ୟ ଗ୍ରାହକଙ୍କୁ ଦିଆଯାଇଥାଏ।
ଉଲ୍ଲେଖଯୋଗ୍ୟ, ଟାଟା ପାଓ୍ବାର କେବଳ ଶକ୍ତି ବିଭାଗ ଓ ଓଇଆର୍‌ସିଙ୍କୁ ବେଖାତିର କରୁନାହିଁ ବରଂ ସୂଚନା ଅଧିକାର ବଳରେ ଲୋଡ଼ାଯାଉଥିବା ତଥ୍ୟ ମଧ୍ୟ ଦେଉନାହିଁ। ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନା ନାହିଁ ସେନେଇ ଆର୍‌ଟିଆଇ ଜରିଆରେ ଶକ୍ତି ବିଭାଗକୁ ତଥ୍ୟ ମଗାଯାଇଥିଲା। ବିଭାଗ ଏ ବିଷୟରେ ଜାଣିନାହିଁ ବୋଲି କହିବା ସହ ରାଜ୍ୟର ୪ଟି ଡିସ୍‌କମ୍‌ ଏବଂ ଓଇଆର୍‌ସିଠାରୁ ଉତ୍ତର ଚାହିଁଥିଲା। ଓଇଆର୍‌ସି ଏହାର ଉତ୍ତର ରଖିଥିବା ବେଳେ ଟାଟା ପାଓ୍ବାର ଅଧୀନ ୪ଟି ଯାକ ଡିସ୍‌କମ୍‌ ଆର୍‌ଟିଆଇର ଉତ୍ତର ଦେଲେନାହିଁ।

  • jmjnewso

    Related Posts

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    Spread the love

    Spread the loveଭୁବନେଶ୍ୱର : ଜେଏମଜେ ନ୍ୟୁଜ : ରାଜ୍ୟ ସରକାର ଆଜି (ସୋମବାର) ବରିଷ୍ଠ ଓଏଏସ୍ ଅଧିକାରୀସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୋଟିଏ ଦିନରେ ୨୭ଜଣ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି।ଦୁଇ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ପଦୋନ୍ନତିପ୍ରକାଶିତ…

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    Spread the love

    Spread the loveଜେଏମଜେ ବ୍ୟୁରୋ : ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ…

    Leave a Reply

    Your email address will not be published. Required fields are marked *

    You Missed

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ୯ଛାତ୍ର ଥାନାରେ ଅଟକ : ପ୍ରାକ ନିର୍ବାଚନୀ ହିଂସା!

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ଗୋଟିଏ ଦିନରେ ୨୭ ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ବଦଳି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ମା’ ତାରାତାରିଣୀଙ୍କ ହୁଣ୍ଡି ଖୋଲିଲା: ବାହାରିଲା ବିଡ଼ା ବିଡ଼ା ଟଙ୍କା, ସୁନା-ରୂପା,ବିଦେଶୀ ମୁଦ୍ରା ଓ ଭକ୍ତଙ୍କ ଭାବ ବିହ୍ଵଳ ଚିଠି

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    CMO ରୁ ଫାଇଲ ମିସିଂ ଘଟଣା : ୩ ଜଣଙ୍କ ବୟାନ ରେକର୍ଡ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

    ବୁଗୁଡ଼ା ଏନ୍‌ଏସିରେ ଜନକଲ୍ୟାଣ କାର୍ଯ୍ୟକ୍ରମ: କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ