ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ । ଏହାକୁ ନଜରରେ ରଖି ସରକାର ପ୍ରତି ପଞ୍ଚାୟତକୁ ଦେଢ଼ରୁ ତିନି କୋଟି ଟଙ୍କା ପାଣ୍ଠି ଦେବାକୁ ଘୋଷଣା କରିଛନ୍ତି । ‘ଗ୍ରାମ ସମ୍ପଦ ଅଭିଯାନ’ରେ ଗାଁର ବିକାଶ ପାଇଁ ବଡ଼ ଯୋଜନା ହୋଇଛି କିନ୍ତୁ ପାଣ୍ଠି ପାଇବାକୁ ହେଲେ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି ।
ଏହା ତିଆରି କରିନଥିବା ପଞ୍ଚାୟତ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ପାଣ୍ଠି ପାଇଁ ନାକେଦମ୍ ହେବେ । ଏହାକୁ ଜାଣି ବି ଅଗଷ୍ଟ ୧୫ ତାରିଖ ଶେଷ ତାରିଖ ସୁଦ୍ଧା ୧୮୫୪ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ଦାଖଲ କରିନାହାନ୍ତି । ରାଜ୍ୟର ମୋଟ ୨୮% ପଞ୍ଚାୟତ ଜିପିଡିପି ଅପଲୋଡ୍ରେ ଫେଲ୍ ମାରିଛନ୍ତି । ଭଦ୍ରକ ଓ ବୌଦ୍ଧର ୭୦%ରୁ ଅଧିକ ପଞ୍ଚାୟତ ପ୍ଲାନ୍ ଅପଲୋଡ୍ କରିନାହାନ୍ତି । ପଞ୍ଚାୟତ ବିକାଶ ଯୋଜନା ତିଆରି କରିନଥିବା ପଞ୍ଚାୟତକୁ ଚଳିତବର୍ଷର ଷୋଡ଼ଶ କେନ୍ଦ୍ରୀୟ ଅର୍ଥ କମିଶନ(ସିଏଫ୍ସି) ଓ ଷଷ୍ଠ ରାଜ୍ୟ ଅର୍ଥ କମିଶନ ପାଣ୍ଠି ମିଳିବନି ବୋଲି ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ତାଗିଦ୍ କରାଯାଇଥିଲା କିନ୍ତୁ ଏହା କାଟୁ କରିନି ।
ରାଜ୍ୟରେ ମୋଟ ୬୭୪୯ଟି ପଞ୍ଚାୟତ ଅଛି । ଏବେସୁଦ୍ଧା ୪୮୯୫ ପଞ୍ଚାୟତ ଜିପିଡିପି ଦାଖଲ କରିଛନ୍ତି । ଭଦ୍ରକର ମୋଟ ୨୧୬ଟି ପଞ୍ଚାୟତ ଭିତରୁ ମାତ୍ର ୨୮.୭୦% ବା ୬୨ଟି ପଞ୍ଚାୟତ ଇ-ଗ୍ରାମ ସ୍ୱରାଜ ପୋର୍ଟାଲରେ ଜିପିଡିପି ଦାଖଲ କରିଛନ୍ତି । ବୌଦ୍ଧର ୬୯ଟି ପଞ୍ଚାୟତରୁ ମାତ୍ର ୨୨ଟି ବା ୩୧.୮୮% ପଞ୍ଚାୟତ ନିଜର ବାର୍ଷିକ ବିକାଶ ଯୋଜନା ତିଆରି କରିଛନ୍ତି । କଟକ ଜିଲ୍ଲାରେ ୩୬୭ଟି ପଞ୍ଚାୟତରୁ ୧୭୮ଟି ପଞ୍ଚାୟତ ପ୍ଲାନ୍ କରିଛନ୍ତି । ପୁରୀରେ ୨୬୮ ପଞ୍ଚାୟତରୁ ୧୨୫ଟି ପ୍ଲାନ୍ ଅପଲୋଡ୍ କରିଛନ୍ତି । ଗଞ୍ଜାମରେ ୪୯%, କେନ୍ଦୁଝରରେ ୪୫%, ଢେଙ୍କାନାଳରେ ୪୭% ଓ ରାୟଗଡ଼ାରେ ୪୦% ପଞ୍ଚାୟତ ଜିପିଡିପି ଅପଲୋଡ୍ କରି ପାରିନାହାନ୍ତି । କେନ୍ଦୁଝରରେ ୧୩୫ଟି ପଞ୍ଚାୟତ, ମାଲକାନଗିରିରେ ୪୨, ମୟୂରଭଞ୍ଜରେ ୧୨୮, ଜଗତ୍ସିଂହପୁରରେ ୫୩, ଖୋର୍ଦ୍ଧାରେ ୪୯ଟି ପଞ୍ଚାୟତ ଜିପିଡିପି ଦାଖଲ କରିନାହାନ୍ତି । ଦେବଗଡ଼, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାର ୧୦୦% ପଞ୍ଚାୟତ ଜିପିଡିପି ଦାଖଲ କରିଛନ୍ତି । ନବରଙ୍ଗପୁର ଓ ଯାଜପୁରର ୯୯%, ବାଲେଶ୍ୱର ଓ ବରଗଡ଼ର ୯୮%, ଝାରସୁଗୁଡ଼ାର ୯୭%, ଗଜପତିରେ ୯୬%, ସମ୍ବଲପୁରରେ ୯୫%, ଅନୁଗୁଳରେ ୮୮%, ବଲାଙ୍ଗିରରେ ୮୭%, ସୋନପୁରରେ ୮୦% ପଞ୍ଚାୟତ ବିକାଶ ଯୋଜନାକୁ ପୋର୍ଟାଲରେ ଅପଲୋଡ୍ କରି ସାରିଛନ୍ତି ।ବିକଶିତ ଓଡ଼ିଶା ଭିଜନ୍ ଓ ଜାତିସଂଘର ଏସଡିଜି-୧୩କୁ ଆଧାର କରି ପ୍ରତି ପଞ୍ଚାୟତ ନିଜସ୍ୱ ବିକାଶ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାକୁ ଗ୍ରାମସଭାରେ ପାରିତ କରି ଅଗଷ୍ଟ ୧୫ତାରିଖ ସୁଦ୍ଧା ପୋର୍ଟାଲରେ ଅପଲୋଡ୍ କରିବାକୁ କୁହାଯାଇଥିଲା । ଜନସଂଖ୍ୟା, ଟାଏଡ୍, ଅନଟାଏଡ୍ ପାଣ୍ଠି ଓ ଏକାଧିକ ମାପଦଣ୍ଡକୁ ବିଚାରକୁ ନେଇ କେଉଁ ପଞ୍ଚାୟତକୁ କେତେ ପାଣ୍ଠି ମିଳିବ, ସରକାର ତାକୁ ଧାର୍ଯ୍ୟ କରିଛନ୍ତି । ଜନସଂଖ୍ୟା ହିସାବରେ କେଉଁ ବର୍ଗର ପଞ୍ଚାୟତକୁ କେତେ ଅର୍ଥ ମିଳିବ, ସେଥିପାଇଁ ଷୋଡ଼ଶ ଅର୍ଥ କମିଶନ ବିସ୍ତୃତ ଗାଇଡଲାଇନ ଆଣିଛନ୍ତି । ଗାଇଡଲଇନ୍କୁ ଅନୁସରଣ କରି ପଞ୍ଚାୟତ ଚଳିତ ଆର୍ଥିକ ବର୍ଷ ପାଇଁ ନିଜସ୍ୱ ପ୍ଲାନ୍ ଦେବାକୁ କୁହାଯାଇଥିଲା ।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ








