ଜେଏମଜେ ବ୍ୟୁରୋ : ସଂରକ୍ଷଣ ବ୍ୟବସ୍ଥାରେ ସୁଧାର ଦାବି ଏବଂ ମହିଳା ସଂରକ୍ଷଣକୁ ନେଇ ଦେଶର ରାଜନୀତି ପୁଣି ସରଗରମ ହୋଇଛି। ଦିଲ୍ଲୀ, ଲକ୍ଷ୍ନୌ, ପାଟନା ଓ ଜୟପୁର ସମେତ ବିଭିନ୍ନ ସହରରେ ଜାତି ଭିତ୍ତିକ ସଂରକ୍ଷଣକୁ ନେଇ ବିରୋଧର ସ୍ୱର ଶୁଣିବାକୁ ମିଳୁଛି। ରବିବାର ସେଣ୍ଟ୍ରାଲ ଦିଲ୍ଲୀରେ ପ୍ରାୟ ୩୦୦ ଲୋକ ସଂରକ୍ଷ ବ୍ୟବସ୍ଥାରେ ସୁଧାର ଦାବି କରି ପ୍ରଦର୍ଶନ କରିଥିଲେ।ପରେ ପୁଲିସ ସେମାନଙ୍କୁ ହେପାଜତକୁ ନେଇଥିଲା।

ଏହି ଆନ୍ଦୋଳନକୁ ନେଇ ଦଳିତ ନେତାମାନେ କଡ଼ା ଆପତ୍ତି ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ କହିଛନ୍ତି ଯେ ସଂରକ୍ଷଣ କାହାର ଦୟା କିମ୍ବା ଭିକ୍ଷାନୁହେଁ, ଏହା ସମ୍ବିଧାନ ପ୍ରଦତ୍ତ ଅଧିକାର। ରାମଦାସ ଅଠାୱଲେ ମଧ୍ୟ ଆରକ୍ଷଣ ବିରୋଧୀ ପ୍ରଦର୍ଶନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସଂରକ୍ଷଣ ସୁଧାର ନାମରେ ସଂରକ୍ଷଣ ଶେଷ କରିବାର ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ କରିଛନ୍ତି। ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ଆର୍ଥିକ ଆଧାରରେ SC, ST ଓ OBC ଆରକ୍ଷଣ ଲାଗୁ କରିବା ଦାବିକୁ ବିରୋଧ କରିଛନ୍ତି।

ମହିଳା ସଂରକ୍ଷଣକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ବିଜେପି ନେତ୍ରୀ ସ୍ମୃତି ଇରାନୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, ସଂସଦରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ଶୀଘ୍ର ଲାଗୁ କରିବାକୁ କଂଗ୍ରେସ ସମର୍ଥନ କରିବା ଉଚିତ। ଅନ୍ୟପଟେ କଂଗ୍ରେସର ପ୍ରଶ୍ନ ହେଉଛି ୨୦୨୩ରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ଆଇନକୁ ଏପର୍ଯ୍ୟନ୍ତ କାହିଁକି ଲାଗୁ କରାଯାଇନାହିଁ? କଂଗ୍ରେସ ଅଭିଯୋଗ କରୁଛି ଯେ ସରକାର ଏହାକୁ ଜନଗଣନା ଓ ପରିସୀମନ ସହ ଯୋଡ଼ି ଦେଇଛି।
ମହିଳା ସଂରକ୍ଷଣ ଆଇନ ଲାଗୁ କରିବା ପୂର୍ବରୁ ଜନଗଣନା ଓ ପରିସୀମନର ପ୍ରକ୍ରିୟା ଆବଶ୍ୟକ ହେବାକୁ ନେଇ ରାଜନୈତିକ ବିବାଦ ରହିଛି। ବିରୋଧୀ ଦଳଗୁଡ଼ିକ କହୁଛନ୍ତି ଯେ ପରିସୀମନକୁ ଅପେକ୍ଷା ନକରି ମହିଳା ସଂରକ୍ଷଣ ଲାଗୁ କରାଯିବା ଉଚିତ। ଏବେ ସଂରକ୍ଷଣ ବ୍ୟବସ୍ଥାର ସୁଧାର ଦାବି, ଜାତିଭିତ୍ତିକ ସଂରକ୍ଷଣ ଏବଂ ମହିଳା ସଂରକ୍ଷଣ, ଏହି ତିନୋଟି ପ୍ରସଙ୍ଗ ଆଗାମୀ ଦିନରେ ଦେଶର ରାଜନୀତିକୁ ଆହୁରି ସରଗରମ କରିବାର ସମ୍ଭାବନା ରହିଛି। ବିଶେଷକରି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ସଂରକ୍ଷଣ ପ୍ରସଙ୍ଗ ରାଜନୈତିକ ଦଳଗୁଡ଼ିକ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।








