ଜେଏମଜେ ବ୍ୟୁରୋ : ଦେଶରେ ବେକାରୀ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିଯୁକ୍ତି ସୁଯୋଗ ହ୍ରାସ ପାଇ ଚାଲିଛି। ଯୁବଗୋଷ୍ଠୀ ଚାକିରି ନ ପାଇ ବସି ରହିଛନ୍ତି। ଏହାକୁ ନେଇ ପରିବାର ଉପରେ ବୋଝ ବଢ଼ି ଚାଲିଛି। ଆର୍ଥିକ ସ୍ଥିତି ଦୋହିଲାବରେ ଲାଗିଛି। ଆୟ ତୁଳନାରେ ବ୍ୟୟ ଭାର ବଢି ବଢି ଚାଲିଛି। ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ପଦ ସଂଖ୍ୟା କମି କମି ଯାଉଛି।
ତା ସହିତ ପ୍ରଶ୍ନପତ୍ର ପ୍ରଘଟ ପାଇଁ ଯୁବ ପିଢି ଦୁଃଶ୍ଚିନ୍ତାରେ କାଳ କାଟୁଛନ୍ତି। ଏପରି ସ୍ଥଳେ ସାଂଘାତିକ ରିପୋର୍ଟ ସାମନାକୁ ଆସିଛି। କେନ୍ଦ୍ର ସରକାରରେ ଲକ୍ଷ ଲକ୍ଷ ପଦ ଖାଲି ପଡ଼ିଥିବା ଜଣାପଡ଼ିଛି। ଗତ ଦଶ ବର୍ଷ ମଧ୍ୟରେ ଖାଲି ପଦ ସଂଖ୍ୟା ପ୍ରାୟ ଦୁଇ ଗୁଣ ହୋଇଯାଇଛି। ଏବେ ପ୍ରାୟ ୮.୨୪ ଲକ୍ଷ ପଦ ଖାଲି ପଡ଼ିଛି। ଏକ ଆରଟିଆଇ ରିପୋର୍ଟରୁ ଏହି ସୂଚନା ସାମନାକୁ ଆସିଛି।
ମଧ୍ୟପ୍ରଦେଶ ନିମୁଚର ଆରଟିଆଇ କର୍ମୀ ଚନ୍ଦ୍ର ଶେଖର ଗୌରଙ୍କ ଆବେଦନ ଉପରେ ଗତ ୧୯ ତାରିଖରେ ପ୍ରଦତ୍ତ ସୂଚନା ଅନୁଯାୟୀ, ୨୦୧୫ରେ ୪.୨୧ ଲକ୍ଷ ପଦ ଖାଲି ଥିଲା। ୨୦୨୪ ମାର୍ଚ୍ଚ ସୁଦ୍ଧା ଏହା ବୃଦ୍ଧି ପାଇ ୮.୨୪ ଲକ୍ଷରେ ପହଞ୍ଚି ଯାଇଛି। ମୋଟ ମଞ୍ଜୁରୀ ପଦରୁ ଖାଲି ପଡ଼ିଥିବା ପଦ ୧୧ ପ୍ରତିଶତରୁ ବଢ଼ି ୨୧ ପ୍ରତିଶତ ହୋଇଯାଇଛି। ଏହି ଅବଧିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ମୋଟ ମଞ୍ଜୁରୀ ପଦ ସଂଖ୍ୟା ୨.୭୪ ଲକ୍ଷ ବୃଦ୍ଧି ପାଇଥିଲା। ଏହା ସତ୍ତ୍ବେ ନିଯୁକ୍ତ ପଦ ସଂଖ୍ୟା ୧.୨୯ ଲକ୍ଷ ହ୍ରାସ ପାଇଛି। ସେହିପରି ସରକାରୀ କମ୍ପାନୀର ପ୍ରାୟ ଅଧା କର୍ମଚାରୀ ଠିକାରେ ଅଛନ୍ତି। ୨୦୧୫ରେ ଏହା ୧୮.୬ ପ୍ରତିଶତ ଥିଲାବେଳେ ୨୦୨୫ରେ ୪୯.୧ ପ୍ରତିଶତରେ ପହଞ୍ଚି ଯାଇଛି। ୨୦୨୪ରେ ୨.୪୦ ଲକ୍ଷ ପଦ ଖାଲି ଥିଲା। ସ୍ବାସ୍ଥ୍ୟ େକ୍ଷତ୍ରରୁ ମଧ୍ୟ ବିକଳ ଚିତ୍ର ସାମନାକୁ ଆସିଛି। ଏହି କ୍ଷେତ୍ରରେ ଖାଲି ପଦ ସଂଖ୍ୟା ଶୂନରୁ ୬ ପ୍ରତିଶତ (୧୫୮୨ ପଦ)ରେ ପହଞ୍ଚି ଯାଇଛି।
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଓ ଭତ୍ତା ସମ୍ପର୍କିତ ବ୍ୟୟ ବିଭାଗର ରିପୋର୍ଟ ଅନୁଯାୟୀ, କେନ୍ଦ୍ରର ୮୦ ମନ୍ତ୍ରାଳୟ ଓ ବିଭାଗ ପାଇଁ ମୋଟ ୩୯, ୨୩, ୨୧୨ ପଦ ମଞ୍ଜୁର ହୋଇଛି। ଏଥିରୁ ୩୦,୯୯, ୬୫୬ ପଦ ପୂରଣ ହୋଇଥିବାବେଳେ ୮, ୨୩, ୫୫୬ ପଦ ଖାଲି ରହିଛି। ତେବେ ୨୦୧୫ରେ ୩୬,୪୯,୪୬୮ପଦ ମଞ୍ଜୁର ହୋଇଥିବାବେଳେ ୪, ୨୦,୫୪୭ ପଦ ଖାଲି ଥିଲା। ସ୍ବରାଷ୍ଟ୍ର ମନ୍ତ୍ରାଳୟରେ ମଞ୍ଜୁର ପଦ ସଂଖ୍ୟା ୧.୦୨ ଲକ୍ଷ ବୃଦ୍ଧି ପାଇଥିବାବେଳେ ନିଯୁକ୍ତି ୪୯,୬୨୧ ବଢ଼ିଛି। ଅର୍ଥାତ ପଦ ତୁଳନାରେ ନିଯୁକ୍ତି ବହୁତ କମ ହୋଇଛି। ଏଭଳି ସ୍ଥିତିରେ ଖାଲି ପଦ ସଂଖ୍ୟା ୫୮,୭୭୪ରୁ ବଢ଼ି ୧,୧୦,୮୬୪ ହୋଇଯାଇଛି। ପ୍ରତିରକ୍ଷା ବିଭାଗରେ ସର୍ବାଧିକ ୨.୪୨ ଲକ୍ଷ ପଦ ଖାଲି ରହିଛି। ମଞ୍ଜୁର ତୁଳନାରେ ଖାଲି ପଦ ସଂଖ୍ୟା ୪୩.୪ ପ୍ରତିଶତରେ ପହଞ୍ଚି ଯାଇଛି। ଏହି ମନ୍ତ୍ରାଳୟରେ ପୂର୍ବାପେକ୍ଷା ୮ ଗୁଣ ପଦ ଖାଲି ରହିଛି। ଡାକ ବିଭାଗର ଖାଲି ପଦ ସଂଖ୍ୟା ୭,୫୬୧ରୁ ବଢ଼ି ୬୧,୫୪୬ରେ ପହଞ୍ଚି ଯାଇଛି। ସେହିପରି ବାଣିଜ୍ୟ ବିଭାଗରେ ଅଧାରୁ ଅଧିକ ୫୫.୪ ପ୍ରତିଶତ ପଦ ଖାଲି ରହିଛି। ବେସାମରିକ ବିମାନ ଚଳାଚଳରେ ୪୫.୨ ପ୍ରତିଶତ ଓ ଶ୍ରମରେ ୪୧.୫ ପ୍ରତିଶତ ପଦ ଖାଲି ରହିଛି।
ଏହା ବ୍ୟତୀତ ରେଳବାଇରେ ୨,୪୦, ୧୨୫ (୧୬.୨%), ରାଜସ୍ବରେ ୬୯, ୬୫୨ (୩୮.୮%), ଅଡିଟ ତଥା ଆକାଉଣ୍ଟରେ ୨୧,୫୦୫ (୩୧.୭%), ପରମାଣୁ ଶକ୍ତିରେ ୧୦,୨୩୪ (୨୭.୫%), ମହାକାଶରେ ୪,୧୨୬ (୨୧.୫%). ସହରୀ ବ୍ୟାପାରରେ ୪,୫୯୨ (୨୪%), ବୈଦେଶିକ ମନ୍ତ୍ରାଳୟରେ ୨୦୨୮ (୧୬.୧%), ଜଳ ସମ୍ପଦରେ ୩,୧୯୧ (୨୭.୯%), ଡିଓପିଟିରେ ୨୪୨୯ (୨୧.୬%), ଖଣି ବିଭାଗରେ ୩୫୦୧ (୩୩.୭%), ଭୂବିଜ୍ଞାନରେ ୨୮୯୫ (୩୮.୬%), ଶ୍ରମ ବିଭାଗରେ ୨୬୧୮ (୪୧.୫%), ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ୧୫୮୨ (୨୯.୪ %), ବାଣିଜ୍ୟରେ ୨୪୩୫ (୫୫.୪%), ନ୍ୟାୟ ବିଭାଗରେ ୧୨୬୭ (୩୬.୪ %) ଓ ଉଚ୍ଚ ଶିକ୍ଷା ବିଭାଗରେ ୫୨୨ (୩୬.୯%) ପଦ ଖାଲି ରହିଛି। ସେହିପରି ୨୦୨୫ରେ ୪୭୫ଟି ସରକାରୀ କମ୍ପାନୀରେ ମୋଟ ୧୫,୪୨, ୩୩୯ କର୍ମଚାରୀ ଥିଲେ। ଏମାନଙ୍କ ମଧ୍ୟରୁ କେବଳ ୭, ୮୩, ୭୨୮ କର୍ମଚାରୀ ନିୟମିତ ଥିଲେ। ଅନ୍ୟ ୭, ୫୮, ୬୧୧ ଜଣ ଠିକା କର୍ମଚାରୀ ଥିଲେ। ୨୦୧୫ରେ ଏହି ସଂଖ୍ୟା ୨,୯୫, ୯୭୫ ଥିଲା।
ଅନ୍ୟପଟେ ନିତି ଆୟୋଗ ରିପୋର୍ଟରୁ ଦେଶରେ ଯୁବ ଗୋଷ୍ଠୀଙ୍କ ଖରାପ ସ୍ଥିତି ବିଷୟରେ ସୂଚନା ମିଳିଛି। ୧୫ରୁ ୨୯ ବର୍ଷର ୮.୭ କୋଟି ଯୁବ ଗୋଷ୍ଠୀ କଠିନ ସ୍ଥିତି ଦେଇ ଗତି କରୁଛନ୍ତି। ସେମାନଙ୍କ ପାଖରେ ଚାକିରି ନାହିଁ କି ଶିକ୍ଷା ନାହିଁ। ପ୍ରଶିକ୍ଷଣ ମଧ୍ୟ ନେଉ ନାହାନ୍ତି। ଏମାନଙ୍କ ମଧ୍ୟରୁ ୮୮ ପ୍ରତିଶତ ଘରୋଇ କାମରେ ଲିପ୍ତ ରହିଛନ୍ତି। ୨୦୨୧ରେ ହୋଇଥିବା ୭୮ତମ ‘ନ୍ୟାସନାଲ ସାମ୍ପୁଲ ସର୍ଭେ’ରୁ ଏହା ସାମନାକୁ ଆସିଛି।








