ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ତେଜୁଛି ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ବିବାଦ। ବିଶ୍ବବିଦ୍ୟାଳୟରେ ଦୁଇଟି ସମାନ୍ତରାଳ ଶିକ୍ଷକ ସଂଗଠନ ପରିସ୍ଥିତିକୁ ଆହୁରି ବିବାଦୀୟ କରିଛି। ଏଭଳି ସ୍ଥିତିରେ ଆଜି ବିଶ୍ବବିଦ୍ୟାଳୟର ୮୦ ଜଣ ଅଧ୍ୟାପକ ଅଧ୍ୟାପିକା ସାମୁହିକ ଛୁଟିରେ ରହି କଳା ବ୍ୟାଜ ପିନ୍ଧି ଶାନ୍ତିପୂର୍ଣ୍ଣ ଧାରଣ ଦେଇଛନ୍ତି। କିନ୍ତୁ ଏତେ ସବୁ ପରେ ବି ମୁହଁ ଖୋଲୁନାହାନ୍ତି ରେଭେନ୍ସା କୁଳପତି।ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଧ୍ୟାପକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଓ ଅସନ୍ତୋଷ ଘନେଇବାରେ ଲାଗିଛି। ଶିକ୍ଷକ ସଂଘ ରୁଟାର ୮୦ରୁ ଅଧିକ ଅଧ୍ୟାପକ ଆଜି ସାମୁହିକ ଛୁଟିରେ ରହି କୁଳପତିଙ୍କ କାର୍ୟ୍ୟାଳୟ ସମ୍ମୁଖରେ କଳାବ୍ୟାଜ୍ ପିନ୍ଧି ଧାରଣା ଦେଇଛନ୍ତି। ବିଶ୍ବବିଦ୍ୟାଳୟର ପୂର୍ବତନ ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ ସଦର ବିଧାୟକ ପ୍ରକାଶ ସେଠୀ ଦୁର୍ବ୍ୟବହାର କରିବା ଘଟଣାକୁ ନେଇ ପ୍ରଥମେ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ ବିଧାୟକ ପ୍ରଫେସର ସୁଦର୍ଶନ ମିଶ୍ରଙ୍କ ବିରୋଧରେ ବିଧାନସଭା ବାଚସ୍ପତିଙ୍କ ନିକଟରେ କରିଥିବା ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ସଂଘ ଦାବି ରଖିଥିଲା। ମାତ୍ର ଏ ଦିଗରେ ରେଭେନ୍ସା କର୍ତ୍ତୃପକ୍ଷ କୌଣସି ଉଦ୍ୟମ ନକରି ବିଶ୍ବବିଦ୍ୟାଳୟର ଚିଫ୍ ୱାର୍ଡେନ୍ଙ୍କ ସହିତ ସମସ୍ତ ହଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କୁ ବଦଳାଇ ଦେବାକୁ ନେଇ ସଂଘ ଅସନ୍ତୋଷ ପ୍ରକାଶ କରିଛି। ରେଭେନ୍ସା ପରିସରରେ ଅଧ୍ୟାପକଙ୍କୁ ସମ୍ମାନର ସହିତ କାର୍ୟ୍ୟ କରିବାକୁ ସୁଯୋଗ ଦେବା ସହ ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ୟ୍ୟକ୍ରମକୁ ରାଜନୈତିକ ଚାପରୁ ଦୂରେଇ ରଖିବାକୁ ସଂଘ ପୂର୍ବରୁ ଦାବି କରଥିଲା।

ହେଲେ ରେଭେନ୍ସା କର୍ତ୍ତୃପକ୍ଷ ଏହି ସମସ୍ତ କ୍ଷେତ୍ରରେ ନିରବ ଥିବାରୁ ଶିକ୍ଷକ ସଂଘ ଆଜି ଏଭଳି ଶାନ୍ତିପୂର୍ଣ୍ଣ ଧାରଣ ଦେଇଛି।ରେଭେନ୍ସା ବିଶ୍ବବିଦ୍ୟାଳୟର ଶିକ୍ଷକ ସଂଘର ୮୦ରୁ ଅଧିକ ଅଧ୍ୟାପକ ଓ ଅଧ୍ୟାପିକା ଛୁଟି ନେଇ ଏଭଳି ଧାରଣାରେ ବସିବା ଯୋଗୁଁ ପିଲାମାନଙ୍କ ପାଠପଢ଼ା ଉପରେ ବଡ଼ ପ୍ରଭବ ପଡ଼ିଛି। ଏପଟେ ରେଭେନ୍ସା ବିଶ୍ବବିଦ୍ୟାଳୟର ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ଯେ ଆଜି କେବଳ ଗୋଟିଏ ଦିନ ଏଭଳି କଳା ବ୍ୟାଜ ପିନ୍ଧି ଧାରଣା ଦିଆଯିବ। ଯଦି କୁଳପତି ଏନେଇ କୌଣସି ଆଲୋଚନା ନ କରନ୍ତି ତେବେ ପୁଣି ଥରେ ଶିକ୍ଷକ ସଂଘ ଭିତରେ ବୈଠକ ବସି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। କିନ୍ତୁ ବଡ଼ କଥା ହେଉଛି ଏତେ ସବୁ ବିବାଦ ଭିତରେ ମଧ୍ୟ ରେଭେନ୍ସା କୁଳପତି ଏପର୍ୟ୍ୟନ୍ତ ମୁହଁ ଖୋଲିନାହାନ୍ତି। ତେବେ କେଉଁଦିନ ରେଭେନ୍ସା ବିଶ୍ବବିଦ୍ୟାଳୟ ବିବାଦର ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା।








