ଜେଏମଜେ ବ୍ୟୁରୋ : ଆସନ୍ତାକାଲି ପବିତ୍ର ଗଣେଶ ଚତୁର୍ଥୀ। ଧରାପୃଷ୍ଠକୁ ଓହ୍ଲାଇବେ ବିଘ୍ନହର୍ତ୍ତା, ସିଦ୍ଧିଦାତା ପ୍ରଭୁ ଶ୍ରୀଗଜାନନ। ବାପ୍ପାଙ୍କ ଆଗମନକୁ ନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଶେଷ ପର୍ୟ୍ୟାୟରେ ପହଞ୍ଚିଛି ପୂଜା ମଣ୍ଡପର ସାଜସଜ୍ଜା, ମୂର୍ତ୍ତି କାରିଗର ଦେଉଛନ୍ତି ଶେଷ ସ୍ପର୍ଶ। ଏପଟେ ବଜାରରେ ଉଛୁଳୁଛି ଗ୍ରାହକଙ୍କ ଭିଡ଼।ରାତି ପାହିଲେ ସିଦ୍ଧିଦାତା ଗଜାନନଙ୍କ ପୂଜା। ରାଜ୍ୟର ପୁରପଲ୍ଲୀରୁ ସହର ପର୍ୟ୍ୟନ୍ତ ଏବେ ଗଣପତି ବାପ୍ପାଙ୍କ ଆଗମନକୁ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ।

ପୂଜାକୁ ନେଇଁ ଚଳଚଞ୍ଚଳ ଗାଁଠୁ ସହର। ଜଟଣୀ ସହରରେ ଥିବା ପ୍ରମୁଖ ପୂଜା ମଣ୍ଡପ ଗୁଡିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବଜାରରେ ଚାଲିଛି ତୋରଣ ନିର୍ମାଣ । ସବୁଆଡେ ସାଜସଜ୍ଜା । କୁମ୍ଭାରଶାଳରେ ଶେଷ ତୂଳୀର ସ୍ପର୍ଶ ପାଇ ଗଜାନନ ଏବେ ମଣ୍ଡପ ମୁହାଁ। କେଉଁଠି ମୟୂର ସିଂହାସନରେ ବିରାଜମାନ, ତ କେଉଁଠି ମୁଷିକ ଉପରେ ଚଢ଼ି ଭକ୍ତଙ୍କୁ ଆଶୀର୍ବାଦ ବାଣ୍ଟିବାକୁ ପ୍ରସ୍ତୁତ ବିଘ୍ନହର୍ତ୍ତା। ମାଟିର ମୂର୍ତ୍ତିରେ ପ୍ରାଣ ଫୁଙ୍କି ଦେଇଛନ୍ତି ନିପୁଣ କାରିଗର । ପାରମ୍ପରିକ ମୂର୍ତ୍ତି ସାଙ୍ଗକୁ ଏଥର ପରିବେଶ ଅନୁକୂଳ ଇକୋ-ଫ୍ରେଣ୍ଡଲି ମୂର୍ତ୍ତିର ଚାହିଦା ବେଶ୍ ବଢ଼ିଛି । ଗଳିରୁ ରାଜରାସ୍ତା, ସବୁଠି ଆଲୋକମାଳାର ଝଲକ । ଚଳିତ ବର୍ଷ ମଣ୍ଡପ ସଜାସଜ୍ଜାରେ ଦେଖିବାକୁ ମିଳିଛି ଅଭିନବ ଚମତ୍କାରିତା । କେଉଁଠି ଦେଶର ଐତିହ୍ୟ କୀର୍ତ୍ତିରାଜି ତ କେଉଁଠି ପ୍ରସିଦ୍ଧ ମନ୍ଦିରର ଢାଞ୍ଚାରେ ତିଆରି ହୋଇଛି ବିଶାଳ ତୋରଣ। ଇକୋ-ଫ୍ରେଣ୍ଡଲି ସାଜସଜ୍ଜା ପ୍ଲାଷ୍ଟିକ୍ ମୁକ୍ତ ସଜାବଟକୁ ଗୁରୁତ୍ୱ ଦେଇ ପାନପତ୍ର, ନଡ଼ିଆ କତା, ଶୁଖିଲା ଘାସ ଓ କାଗଜ ଫୁଲରେ ଝଲସୁଛି ମଣ୍ଡପ।

ଗଣେଶ ପୂଜା ମାନେ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠୁ ବଡ଼ ପର୍ବ । ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ପିଲାମାନେ ବ୍ୟସ୍ତ ନିଜ ହାତରେ ସାଜସଜ୍ଜା କରିବାରେ । କ୍ଲବ୍ ଏବଂ ପୂଜା କମିଟିଗୁଡ଼ିକ ମଧ୍ୟରେ ଚାଲିଛି ମଣ୍ଡପ ଡିଜାଇନ୍କୁ ନେଇ ସୁସ୍ଥ ପ୍ରତିଯୋଗିତା। ମୋଦକ ଓ ଲଡୁର ମହକ ସାଙ୍ଗକୁ ଘଣ୍ଟ, ଶଙ୍ଖ ଓ କାହାଳୀର ଧ୍ୱନିରେ କାଲି କମ୍ପିବ ସାରା ଓଡ଼ିଶା। ପ୍ରତ୍ୟେକଟି ମଣ୍ଡପ ଏବେ ଚଳଚଞ୍ଚଳ, ସମସ୍ତଙ୍କ ମୁହଁରେ ଗୋଟିଏ ନାରା ଗଣପତି ବାପ୍ପା ମୋରିୟା।

ସାରା ରାଜ୍ୟରେ ପୂଜା ପାଇଁ ଗଣେଷ ମୁର୍ତ୍ତି ଗତ ଦୁଇ ମାସ ହେଲାଣି ପ୍ରସ୍ତୁତି ଚାଲିଛି । ବିଭିନ୍ନ ପୂଜା ମଣ୍ଡପରେ ଜୋରସୋରରେ ଚାଲିଛି ତୋରଣ ବନ୍ଧା। ଆଲୋକ ସଜ୍ଜିତ ତୋରଣ ଚଳିତ ବର୍ଷ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।






