ସମ୍ବଲପୁର :ଜେଏମଜେ ନ୍ୟୁଜ : ସମ୍ବଲପୁର ସହରର ଦେହେରିପାଲି ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଯାଇଛି । ସ୍ଥାନୀୟ ଗଣେଶ ପୂଜା ପେଣ୍ଡାଲରେ ହଠାତ୍ ଭୟଙ୍କର ନିଆଁ ଲାଗି ସମଗ୍ର ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି । ଉତ୍ସବର ମାହୋଲ ଥିବା ବେଳେ ଏହି ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି ।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଆଜି ହଠାତ୍ ପେଣ୍ଡାଲରୁ ଧୂଆଁ ବାହାରିବା ସହ କିଛି କ୍ଷଣ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା । କପଡ଼ା, ଥର୍ମୋକୁଲ୍ ଓ କାଠରେ ନିର୍ମିତ ସାଜସଜ୍ଜା ଥିବାରୁ ନିଆଁ ଦ୍ରୁତ ଗତିରେ ସମଗ୍ର ପେଣ୍ଡାଲକୁ କବଳିତ କରିନେଇଥିଲା । ଫଳରେ ଦେଖୁ ଦେଖୁ ପୂରା ପୂଜା ମଣ୍ଡପଟି ପାଉଁଶ ହୋଇଯାଇଛି।
ଅଗ୍ନିକାଣ୍ଡର ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଯେପରି ଆଖପାଖ ଘର କିମ୍ବା ଦୋକାନକୁ ନ ବ୍ୟାପିବ, ସେଥିପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି ।
ତେବେ ପେଣ୍ଡାଲରେ କେଉଁ କାରଣରୁ ନିଆଁ ଲାଗିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ଘଟଣାର ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ।





