ଜେଏମଜେ ବ୍ୟୁରୋ : ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିଲା ‘ଡପ୍ଲର୍’ ବଳ । ଆଗକୁ ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୩ଟି ଡପ୍ଲର୍ ରାଡାର୍ । ସମ୍ୱଲପୁର ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସ୍କୁଲରେ ବସିବ ଅଟୋମେଟିକ୍ ୱେଦର ସିଷ୍ଟମ୍ । ଡପଲର୍ ରାଡାର୍… ପାଣିପାଗ ପୂର୍ବାନୁମାନ ପାଇଁ ଅମୋଘ ଅସ୍ତ୍ର । ସାମୁଦ୍ରିକ ବାତ୍ୟା ଆକଳନକୁ ନିଖୁଣ କରିବା ପାଇଁ ପୂର୍ବରୁ ଗୋପାଳପୁର ଓ ପାରାଦୀପରେ ଥିଲା ଡପଲର୍ ରାଡାର୍ ।ତେବେ କେବଳ ଉପକୂଳ ଓଡ଼ିଶା ନୁହେଁ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପାଣିପାଗ ପୂର୍ବାନୁମାନ ନିଖୁଣ କରିବାକୁ ସମ୍ୱଲପୁରରେ ରାଜ୍ୟର ତୃତୀୟ ଡପଲର୍ ପାଣିପାଗ ରାଡାର୍ ଷ୍ଟେସନ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଜମାଦାରପାଲିରେ ନିର୍ମିତ ୫ ମହଲା କୋଠା ଉପରେ ରହିଛି ବିଶାଳ ଗମ୍ୱୁଜାକୃତି ରାଡାର୍ । ୨୪ ଘଣ୍ଟା କାର୍ଯ୍ୟକ୍ଷମ ଏହି ରାଡାର୍ ୨୫୦ କିଲୋମିଟର ପରିଧିରେ ସଠିକ୍ ତଥ୍ୟ ଦେବ । ୪୫୦ କିଲୋମିଟର ପର୍ଯ୍ୟନ୍ତ ପାଣିପାଗର ଗତିବିଧି ପୂର୍ବାନୁମାନ କରିପାରିବ । ୧୩ଟି ଜିଲ୍ଲାର ପାଣିପାଗ ସମ୍ପର୍କରେ ତଥ୍ୟ ଯୋଗାଇବ ଏହି ରାଡାର୍ । ତେବେ ଆଗାମୀ ଦିନରେ ରାଜ୍ୟକୁ ଆଉ ୩ଟି ଡପଲର୍ ରାଡାର୍ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଲେଶ୍ୱର, ପୁରୀ ଓ ଭୁବନେଶ୍ୱରରେ ଏହା ପ୍ରତିଷ୍ଠା ହେବ ।
ଏଥିସହ ରାଜ୍ୟର ସ୍କୁଲ ମାନଙ୍କରେ ଅଟୋମେଟିକ ୱେଦର ସିଷ୍ଟମ ସ୍ଥାପନ ହେବ ବୋଲି ସେ କହିଛନ୍ତି । ପ୍ରାକ୍-ମୌସୁମୀ ଝଡ଼, ବଜ୍ରପାତ ଓ କୁଆପଥର ବର୍ଷାର ଆଗୁଆ ସୂଚନା ଦେବ ଏହି ମେକ୍-ଇନ୍-ଇଣ୍ଡିଆ ଡପଲର୍ ରାଡାର୍ । ଏହା ଫଳରେ ଓଡ଼ିଶାର ‘ଭାତ ହାଣ୍ଡି’ ବରଗଡ଼ ସମେତ ସମଗ୍ର ମହାନଦୀ ଅବବାହିକାର ଚାଷୀମାନେ ଉପକୃତ ହେବେ। ପ୍ରତି ୧୦ ମିନିଟ୍ରେ ୧୫୦ ମିଟର ରିଜୋଲ୍ୟୁସନ୍ରେ ବୃଷ୍ଟିପାତର ଆକଳନ କରି ହୀରାକୁଦ ଜଳଭଣ୍ଡାରର ଜଳପ୍ରବାହ ପରିଚାଳନାକୁ ଏହା ଅଧିକ ସୁଦୃଢ଼ କରିବ।
ଏଥିସହ ବିଦ୍ୟୁତ, ଶିଳ୍ପ, ପରିବହନ ଓ ଗ୍ରୀଡ୍ ଅପରେସନ୍ କ୍ଷେତ୍ରରେ ସତର୍କତାମୂଳକ ପଦକ୍ଷେପ ନେବାରେ ସାହାଯ୍ୟ କରିବ। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଭବ୍ୟ ସମାରୋହରେ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଭର୍ଚୁଆଲ ମୋଡ୍ରେ ଯୋଗ ଦେଇଥିବା ବେଳେ, ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସାମିଲ ହୋଇଥିଲେ ।.ଏହି ଅବସରରେ ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।





