ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରସ୍ଥିତ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମରେ ହଜାର ହଜାର ମହିଳା ଓ ଯୁବବର୍ଗ ଦୀପ ଜାଳିଛନ୍ତି।ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଏକାମ୍ର ବିଧାୟକ ବାବୁ ସିଂ ଏବଂ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦୀପ ପ୍ରଜ୍ୱଳନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତ ନିଶ୍ଚୟ ବିଶ୍ୱଗୁରୁ ହେବ, ମୋଦୀଜୀଙ୍କ ସ୍ୱପ୍ନ ସାକାର କରିବାକୁ ନିରନ୍ତର ଉଦ୍ୟମ ଜାରି ରହିଛି।
ସେବା ସଂକଳ୍ପ ଅଭିଯାନ–୨୦୨୬ ଅନ୍ତର୍ଗତ ରାଜ୍ୟର ୩୦ଟି ଜିଲ୍ଲାରେ ୧ କୋଟିରୁ ଅଧିକ ଆଶୀର୍ବାଦର ଦୀପ ପ୍ରଜ୍ୱଳିତ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସୁଭଦ୍ରା ଯୋଜନାର ହିତାଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି। ପରିବାର ସ୍ତରରୁ ଆରମ୍ଭ କରି ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ବ୍ୟାପକ ଭାବେ ଆୟୋଜିତ ହୋଇଛି।ସମସ୍ତ ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ସାମୂହିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଦେବାଳୟମାନଙ୍କରେ ଝୋଟି ଚିତା ସହ ସାମୂହିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସୁଭଦ୍ରା ହିତାଧିକାରୀ, ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିମାନଙ୍କ ବ୍ୟାପକ ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।





