ଭୁବନେଶ୍ବର: ଜେଏମଜେ ନ୍ୟୁଜ : ଓଡ଼ିଶାରେ “ନଶାମୁକ୍ତ ଭାରତ ଅଭିଯାନ”(ଏନ୍ଏମ୍ବିଏ), ନିଶାଦ୍ରବ୍ୟର ଚାହିଦା ହ୍ରାସ, ନିଶାଦ୍ରବ୍ୟର ଅବୈଧ କାରବାର ବିରୋଧରେ ପ୍ରବର୍ତ୍ତନ, ପୁନର୍ବାସ ଏବଂ ଜନସଚେତନତା କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ନିଶା ନିବାରଣ, ସଚେତନତା, ଆଇନଗତ ପ୍ରବର୍ତ୍ତନ, ଚିକିତ୍ସା, ପୁନର୍ବାସ ଏବଂ ସାମାଜିକ ପୁନଃସଂଯୋଜନ କ୍ଷେତ୍ରରେ ବିଭିନ୍ନ ବିଭାଗ, ଓଡ଼ିଶା ପୋଲିସ, ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ଅଂଶୀଦାରଙ୍କ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଗତକାଲି ଗୁରୁବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ -ସିଆଇଡି-କ୍ରାଇମ୍ ବ୍ରାଞ୍ଚ ତରଫରୁ ଆହୂତ ଏହି ବୈଠକରେ ଗୃହ, ଶିଳ୍ପ ଓ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡା. ବୃନ୍ଦା ଡି, ଏସଟିଏଫ୍ ଆଇଜି ହିମାଂଶୁ ଲାଲ, ଡିଆଇଜି କେ.ଭି.ସିଂ ଙ୍କ ସମେତ ବିଭାଗୀୟ ଶାଖାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
ବୈଠକରେ ଗତ ଜୁନ୍ ୨୦୨୬ ରେ ଅନୁଷ୍ଠିତ ୭ମ ରାଜ୍ୟ ନାର୍କୋ-କୋର୍ଡିନେସନ ବୈଠକ ପରଠାରୁ ନିଶା ଦ୍ରବ୍ୟ କାରବାର ପ୍ରତି ଚଢଉ ଜୋରଦାର କରାଯାଇ ଉଲ୍କେଖନୀୟ ସଫଳତା ହାସଲ କରାଯାଇଥିବା ସଂପର୍କରେ ଏସଟିଏଫ୍ ଆଇଜି ତଥ୍ୟ ପ୍ରଦାନ କରିବା ସହ ଏହି କାର୍ଯ୍ୟ ଜାରି ରହିଥିବା ସଂପର୍କରେ ସୂଚନା ଦେଇଥିଲେ । ନିଶାଦ୍ରବ୍ୟ, ମସ୍ତିଷ୍କ ଓ ସ୍ନାୟୁତନ୍ତ୍ରକୁ ଗଭୀର ପ୍ରଭାବ ପକାଉଥିବା ପଦାର୍ଥର ଅବୈଧ କାରବାର ନିବାରଣ ଆଇନ(ପିଆଇଟିଏନଡିପିଏସ) ରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ସ୍ଥିତି ସଂପର୍କରେ ଆଲୋଚନା କରାଯାଇଥିଲା । ନିଶାକାରବାର କ୍ଷେତ୍ରରେ ହଟସ୍ପଟ୍ ଚିହ୍ନଟ ହୋଇଥିବା ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ,ଗଜପତି , ବୌଦ୍ଧ ଆଦି ୬ଟି ଜିଲ୍ଲାର ବିଭିନ୍ନ ବ୍ଲକ, ଗ୍ରାମ ପଞ୍ଚାୟତ ଓ ଗ୍ରାମଗୁଡ଼ିକରେ ଚଢଉ ଏବଂ ସଚେତନତା ବୃଦ୍ଧି କରାଯାଇଛି । ପଂଚାୟତ ଜନ ପ୍ରତିନିଧି, ଜଙ୍ଗଲ ବିଭାଗ ଏବଂ ରାଜସ୍ୱ ବିଭାଗ ଅଧିକାରୀ ମାନଙ୍କ ସହଯୋଗରେ ବିକଳ୍ପ ଜୀବିକାର୍ଜନ ପନ୍ଥା ଆପଣେଇବାକୁ ପରାମର୍ଶ ଓ ସଚେତନ କରାଯାଉଛି । ଗଂଜେଇ ଚାଷ ଅଂଚଳଗୁଡିକୁ ତୀକ୍ଷ୍ନ ନଜର ରଖାଯାଇ ଆଗାମୀ ନଭେମ୍ବରରେ ଚଢଉକୁ ବ୍ୟାପକ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।
ନିଶାଦ୍ରବ୍ୟର ଅବୈଧ କାରବାର ରୋକିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଓ ଅପରାଧ ଶାଖା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ନିଶା କାରବାର ସହ ଜଡ଼ିତ ଆନ୍ତଃରାଜ୍ୟ ଗୋଷ୍ଠୀଗୁଡ଼ିକ ବିରୋଧରେ ଚଢ଼ଉ ଓ ଆଇନଗତ ପଦକ୍ଷେପ ନିଆଯାଉଛି। ନିଶାଦ୍ରବ୍ୟ ସମ୍ପର୍କିତ ମାମଲାର ତଦନ୍ତ, ନିରୀକ୍ଷଣ ଓ ଆଇନଗତ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରାଯାଉଛି। ମାମଲାଗୁଡ଼ିକର ତଦନ୍ତର ଗୁଣବତ୍ତା ବୃଦ୍ଧି ପାଇଁ ନୂତନ ଯାଞ୍ଚ ତାଲିକା ଏବଂ ରେଞ୍ଜସ୍ତରୀୟ କାର୍ଯ୍ୟଦଳ ଗଠନ କରାଯାଇଛି।ନିଶା ଅବୈଧ କାରବାର ରୋକିବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକ ସହ ତଥ୍ୟ ଆଦାନପ୍ରଦାନ ଓ ସମନ୍ୱୟକୁ ସୁଦୃଢ଼ କରାଯାଉଛି। ୧୦ ସେପ୍ଟେମ୍ବର ୨୦୨୬ରେ ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ସହ ଆନ୍ତଃରାଜ୍ୟ ଭିଡିଓ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଜିଲ୍ଲାସ୍ତରରେ ମଧ୍ୟ ନାର୍କୋଟିକ୍ସ କୋର୍ଡିନେସନ୍ କମିଟି ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଆଗାମୀ ଦିନରେ ସଚେତନତା, ନିଶା ନିରୋଧ, ପ୍ରାରମ୍ଭିକ ଚିହ୍ନଟ, ପରାମର୍ଶ, ରେଫରାଲ୍, ପୁନର୍ବାସ ଓ ଆଇନଗତ ପ୍ରବର୍ତ୍ତନକୁ ଅଧିକ ସୁଦୃଢ଼ କରାଯିବ। ଶିକ୍ଷାନୁଷ୍ଠାନ, ଯୁବବର୍ଗ, ମହିଳା, ପଞ୍ଚାୟତିରାଜ ଅନୁଷ୍ଠାନ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ଏନ୍ଜିଓ, ଏନ୍ଏସ୍ଏସ୍, ଏନ୍ସିସି ଓ ଅନ୍ୟାନ୍ୟ ସାମାଜିକ ଅଂଶୀଦାରଙ୍କ ସକ୍ରିୟ ସହଭାଗିତାରେ ନିଶା ବିରୋଧୀ ଅଭିଯାନକୁ ଅଧିକ ବ୍ୟାପକ କରାଯିବାର ଯୋଜନା ରହିଛି।
ଓଡ଼ିଶାରେ ନିଶା ଚାହିଦା ହ୍ରାସ ପାଇଁ ଜାତୀୟ କାର୍ଯ୍ୟ ଯୋଜନା (ଏନ୍ଏପିଡିଡିଆର୍) ଏବଂ ରାଜ୍ୟର ‘ଦିଶା – ନିଶା ଓ ମାଦକ ଦ୍ରବ୍ୟ ସେବନ ପ୍ରତି ହସ୍ତକ୍ଷେପ ସେବା ଯୋଜନା’ ମାଧ୍ୟମରେ ନିଶା ଚାହିଦା ହ୍ରାସ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି।ବର୍ତ୍ତମାନ ରାଜ୍ୟରେ ନିଶାସକ୍ତଙ୍କୁ ନିଶା ସେବନରୁ ନିବୃତ୍ତ ପାଇଁ ୪୧ଟି ସମନ୍ୱିତ ପୁନର୍ବାସ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏହା ସହିତ ଆଶ୍ରୟ କେନ୍ଦ୍ର, ଗୋଷ୍ଠୀସମୁଦାୟଭିତ୍ତିକ ସହଭାଗୀ ହସ୍ତକ୍ଷେପ କାର୍ଯ୍ୟକ୍ରମ ଏବଂ ନିଶାମୁକ୍ତି କେନ୍ଦ୍ର ମଧ୍ୟ କାର୍ଯ୍ୟ କରୁଛି।ଏହା ବ୍ୟତୀତ ୧୦ଟି ଜିଲ୍ଲାରେ ୧୧ଟି ଦିଶା ପୁନର୍ବାସ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି ଏବଂ ଆହୁରି ୫ଟି କେନ୍ଦ୍ର ପାଇଁ ବୁଝାମଣାପତ୍ର ସ୍ୱାକ୍ଷର ପ୍ରକ୍ରିୟା ଚାଲିଛି। ଅବଶିଷ୍ଟ ୧୬ଟି ଜିଲ୍ଲାକୁ ପର୍ଯ୍ୟାୟକ୍ରମେ ଏହି ବ୍ୟବସ୍ଥାରେ ସାମିଲ କରାଯିବ। ଏ ସଂପର୍କରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ସଂପର୍କରେ ଉପସ୍ଥାପନ କରାଯାଇଥିଲା ।
ଏହି ଅଭିଯାନରେ କିପରି ଅଧିକରୁ ଅଧିକ ଯୁବକ-ଯୁବତୀ ସାମିଲ ହୋଇ ସମସ୍ତଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚି ପାରିବ, ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ସେଥିମଧ୍ୟରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ଯୁବବର୍ଗ, ମହିଳା, ପଞ୍ଚାୟତିରାଜ ଅନୁଷ୍ଠାନ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନ, ଏନ୍ଏସ୍ଏସ୍, ଏନ୍ସିସି ଏବଂ ବିଭିନ୍ନ ସାମାଜିକ ସଂଗଠନର ସହଭାଗିତା ମାଧ୍ୟମରେ ଅଭିଯାନକୁ ଅଧିକ ବ୍ୟାପକ କରାଯାଉଛି। ଗୋଷ୍ଠୀ ସମୁଦାୟସ୍ତରରେ ସଚେତନତା ବୃଦ୍ଧି ସହ ନିଶାସକ୍ତ ବ୍ୟକ୍ତିଙ୍କୁ ସମୟୋଚିତ ପରାମର୍ଶ, ଚିକିତ୍ସା ଓ ପୁନର୍ବାସ ସେବା ସହ ଯୋଡ଼ିବା ଏବଂ ସେମାନଙ୍କ ପାଇଁ ଦକ୍ଷତା ବିକାଶ ଓ ବିକଳ୍ପ ଜୀବିକାର ସୁଯୋଗ ସୃଷ୍ଟି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଦିଶା ପୁନର୍ବାସ କେନ୍ଦ୍ରଗୁଡ଼ିକରେ ନିଶାସକ୍ତରୁ ମୁକ୍ତି ପାଉଥିବା ବ୍ୟକ୍ତିମାନଙ୍କର ଦକ୍ଷତା ବିକାଶ, ବୃତ୍ତିଗତ ପ୍ରଶିକ୍ଷଣ, ପୁନର୍ବାସ ଏବଂ ସାମାଜିକ ପୁନଃସଂଯୋଜନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କେନ୍ଦ୍ରଗୁଡ଼ିକରେ ସିଲେଇ ଓ ଟେଲରିଂ, ହସ୍ତଶିଳ୍ପ ଓ ଟୋକେଇ ପ୍ରସ୍ତୁତି, ଧୂପକାଠି ଉତ୍ପାଦନ ଏବଂ ଡିଜିଟାଲ୍ ସାକ୍ଷରତା ଓ କମ୍ପ୍ୟୁଟର ଦକ୍ଷତା ଭଳି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଗଂଜେଇ ଚାଷ ବା ନିଶା କାରବାରରେ ଲିପ୍ତ ରହୁଥିବା ଲୋକଙ୍କ ପାଇଁ କୃଷି, ଉଦ୍ୟାନ କୃଷି, ଛେଳି ପାଳନ, କୁକୁଡ଼ା ପାଳନ, ମାଛ ଚାଷ, ବୃକ୍ଷରୋପଣ ଓ ବିଭିନ୍ନ ଦକ୍ଷତା ବିକାଶ ମାଧ୍ୟମରେ ବିକଳ୍ପ ଜୀବିକାର ସୁଯୋଗ ସୃଷ୍ଟି ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।





