ବ୍ରହ୍ମପୁର : ଜେଏମଜେ ନ୍ୟୁଜ : ସମ୍ଭାବ୍ୟ ଲଘୁଚାପକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଘଡ଼ଘଡ଼ିକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜିଠାରୁ ୨୨ ତାରିଖ ଯାଏଁ ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୩ ଓ ୨୪ ତାରିଖ ପାଇଁ ରେଡ୍ ୱାର୍ଣ୍ଣିଂ ରହିଛି ।ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଆଶଙ୍କାକୁ ନେଇ ଚାଷୀମାନଙ୍କୁ ଏହି ସମୟରେ ଜମିକୁ ନଯିବାକୁ ପରାମର୍ଶ ଦିଆଯାଇଛି ।ସେହିପରି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି । ଜିଲ୍ଲାର ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ସମସ୍ତ ସରକାରୀ କର୍ମଚାରୀଙ୍କୁ ଜିଲ୍ଲା ନଛାଡ଼ିବାକୁ ତାଗିଦ କରାଯାଇଛି । ଆବଶ୍ୟକ ପଡ଼ିଲେ ସ୍କୁଲ ଛୁଟି ଘୋଷଣା କରାଯିବ । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯିବ । ଗତବର୍ଷ କଳିଙ୍ଗା ଘାଟିରେ ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇଥିଲା, ସେହି ଅଞ୍ଚଳ ଉପରେ ମଧ୍ୟ ନଜର ରହିଛି । ଏନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇଛି । ଆବଶ୍ୟକ ପଡ଼ିଲେ କଳିଙ୍ଗା ଘାଟି ରାସ୍ତାକୁ ଦୁଇ ଦିନ ପାଇଁ ବନ୍ଦ ରଖାଯାଇପାରେ
ସେହିପରି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ମଧ୍ୟ ତଳିଆ ଅଞ୍ଚଳ ଉପରେ ନଜର ରଖାଯାଇଛି । ଆଜିଠାରୁ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ଖୋଲାଯାଇଛି । ଜଳ ନିଷ୍କାସନ ପାଇଁ ଜେସିବି ଓ ପାଣି ପମ୍ପ ପ୍ରସ୍ତୁତ ରଖାଯାଇଛି । ଅନ୍ୟପଟେ ଗୋପାଳପୁରରେ ଆସନ୍ତାକାଲିଠାରୁ ସମୁଦ୍ରକୁ ଯିବା ଉପରେ କଟକଣା ଲାଗିବ । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସଚେତନ କରାଯାଉଛି । ବିଭିନ୍ନ ଅଞ୍ଚଳରେ ମାଇକ୍ ଯୋଗେ ମଧ୍ୟ ସଚେତନତା ସୃଷ୍ଟି କରାଯାଉଛି । ସମ୍ଭାବ୍ୟ ଲଘୁଚାପଜନିତ ପାଣିପାଗକୁ ନେଇ ସମ୍ପୂର୍ଣ୍ଣ ସଜାଗ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଲୋକଙ୍କୁ ସଚେତନ କରିବା ସହ ଧନଜୀବନ ସୁରକ୍ଷାକୁ ଦିଆଯାଉଛି ପ୍ରାଥମିକତା ।






