ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ ନେଇଛି। ଫଳରେ ବାତ୍ୟା ଆଶଙ୍କ ଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ ମତ ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ସେ କହିଛନ୍ତି, ବଙ୍ଗୋପସାଗର ସୃଷ୍ଟି ଲଘୁଚାପ ବାତ୍ୟା ନୁହେଁ ଗଭୀର ଅବପାତ ରୂପ ନେବ।୧୧ଟି ଜିଲା ଉପରେ ଏହାର ପ୍ରଭାବ ପଡ଼ିବ। କାଲିଠୁ ବର୍ଷା ଆରମ୍ଭ ୨୩ ଓ ୨୪ରେ ପ୍ରବଳ ବର୍ଷିବ। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲାର ଜିଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି। ଇନ୍ଦ୍ରାବତୀରେ ଏବଂ ତେଲିଙ୍ଗିରି ଡ୍ୟାମରେ ପାଣି କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପୁରୀରୁ ଦକ୍ଷିଣକୁ ଥିବା ଜିଲାଗୁଡ଼ିକ ସବୁଠାରୁ ବେଶୀ ପ୍ରଭାବିତ ହେବ। ୨୨ ତାରିଖ ସନ୍ଧ୍ୟାରୁ ୫୫ରୁ ୬୫ କିମି ବେଗରେ ପବନ ବହିବ। ତେଣୁ ୨୩ ଓ ୨୪ ତାରିଖରେ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ୨୫ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଅଧିକ ବର୍ଷା ହେବ। ପ୍ରବଳ ବର୍ଷା ହେବାକୁ ଥିବାରୁ ନଦୀର ଜଳସ୍ତର ବଢ଼ିବା ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଅବପାତ ଅଧିକ ଘନୀଭୂତ ହୋଇ ମଙ୍ଗଳବାର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି। ସେହିପରି ଗଭୀର ଅବପାତଟି ୨୩ ତାରିଖ ବୁଧବାର ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚତ୍ବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗଭୀର ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ, ସେ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କୌଣସି ପୂର୍ବାନୁମାନ ଜାରି କରିନାହିଁ। ଲଘୁଚାପ ପ୍ରଭାବରେ ରାଜ୍ୟରେ
ବର୍ଷା ଲାଗି ରହିଥିବାବେଳେ ସୋମବାରଠାରୁ ବିଭିନ୍ନ ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗଭୀର ଅବପାତ ସୃଷ୍ଟି ହେବା ପରେ ବୁଧବାରଠାରୁ ୨ଦିନ ପାଇଁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ସୋମବାର ୧୮ ଜିଲାରେ ଝଡ଼ବର୍ଷା ହେବା ନେଇ ଆକଳନ କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଘଡଘଡି ସହ ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।







