ଆସିକା: ଜେଏମଜେ ନ୍ୟୁଜ :(ହରିହର ପାଢ଼ୀ ): ଜାତୀୟ ସମବାୟ ଚିନିଶିଳ୍ପ ମହାସଂଘ ଲିମିଟେଡ୍ (NFCSF), ନୂଆଦିଲ୍ଲୀ ପକ୍ଷରୁ ଆସିକା ସମବାୟ ଚିନିଶିଳ୍ପ ଲିମିଟେଡ୍କୁ ୨୦୨୫-୨୬ ବର୍ଷ ପାଇଁ “ଜାତୀୟ ଦକ୍ଷତା ପୁରସ୍କାର” (National Efficiency Award) ପ୍ରଦାନ କରାଯାଇଛି। ଏସିଆର ସର୍ବପୁରାତନ ତଥା ଓଡ଼ିଶାର ଏକମାତ୍ର ଚିନିକଳ ଭାବେ ପରିଚିତ ଆସିକା ସମବାୟ ଚିନିଶିଳ୍ପ ଏହି ସମ୍ମାନ ପାଇଛି।
ନୂଆଦିଲ୍ଲୀରେ NFCSF ପକ୍ଷରୁ ୨୨ ସେପ୍ଟେମ୍ବର ୨୦୨୬ରେ ଆୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ସଭାପତି ରବୀନ୍ଦ୍ର ପଣ୍ଡା ଏବଂ ପରିଚାଳନା ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ପଣ୍ଡାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।
ସମବାୟ ଚିନିଶିଳ୍ପ କ୍ଷେତ୍ରରେ ୨୦୨୫-୨୬ ଆର୍ଥିକ ବର୍ଷରେ ଆସିକା ଚିନିଶିଳ୍ପର ଉଲ୍ଲେଖନୀୟ ଅବଦାନକୁ ଆଧାର କରି ଏହି ସମ୍ମାନ ଦିଆଯାଇଛି। ଆଖୁଚାଷୀଙ୍କୁ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟଠାରୁ ଅଧିକ ଦର ପ୍ରଦାନ କରିବା ସହ ପ୍ରତି ଏକର ପିଛା ସର୍ବାଧିକ ୪ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯାଇଛି।
ଆଖୁଚାଷ ପାଇଁ ଉନ୍ନତମାନର ବିହନ ଓ ସାର ଚାଷୀଙ୍କ ଘରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଥିବାବେଳେ ଏହାର ପରିବହନ ଖର୍ଚ୍ଚ ଚିନିଶିଳ୍ପ ବହନ କରିଛି। ଶୃଙ୍ଖଳିତ ଆଖୁ ଯୋଗାଣ ପାଇଁ ଚାଷୀମାନଙ୍କୁ ପରିବହନ ରିହାତି ମଧ୍ୟ ପ୍ରଦାନ କରାଯାଇଛି। ବୈଜ୍ଞାନିକ ପଦ୍ଧତିରେ ଉନ୍ନତମାନର ଆଖୁଚାଷ, ଅଧିକ ଉତ୍ପାଦନ ଓ ଆୟ ପାଇଁ ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନରେ ଚିନିଶିଳ୍ପ ଚାଷୀମାନଙ୍କ ସହ ମିଳିତ ଭାବେ କାମ କରିଛି।
ସାମାଜିକ ଦାୟିତ୍ୱ କ୍ଷେତ୍ରରେ ମଧ୍ୟ ଚିନିଶିଳ୍ପର ଅବଦାନ ରହିଛି। ନିକଟସ୍ଥ ଅଞ୍ଚଳର ଯକ୍ଷ୍ମା ରୋଗୀମାନଙ୍କୁ ମାସିକ ଖାଦ୍ୟ ସହାୟତା, କର୍ମଚାରୀଙ୍କ ଚିକିତ୍ସା ଖର୍ଚ୍ଚ ବହନ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହ ଚିନିଶିଳ୍ପ ନିକଟସ୍ଥ ଗ୍ରାମଗୁଡ଼ିକୁ ପାଣି, ବିଦ୍ୟୁତ ଓ ବୈଦ୍ୟୁତିକ ସରଞ୍ଜାମ ଯୋଗାଇ ଆସୁଛି।
ଏହାସହ ଚିନିଶିଳ୍ପ ପକ୍ଷରୁ ଜିଏସ୍ଟି, ଆୟକର ଓ ଅବକାରୀ ଶୁଳ୍କ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରତିବର୍ଷ ଶହ ଶହ କୋଟି ଟଙ୍କା ରାଜସ୍ୱ ମିଳୁଛି। ଅଞ୍ଚଳର ବେରୋଜଗାର ଶିକ୍ଷିତ ଯୁବକ-ଯୁବତୀଙ୍କୁ ରୋଜଗାର ସୁଯୋଗ ପ୍ରଦାନ କରିବାରେ ମଧ୍ୟ ଚିନିଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ସମସ୍ତ ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ୱୀକୃତି ଦେଇ NFCSF ପକ୍ଷରୁ ଆସିକା ସମବାୟ ଚିନିଶିଳ୍ପକୁ ୨୦୨୫-୨୬ ବର୍ଷ ପାଇଁ ଜାତୀୟ ଦକ୍ଷତା ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ମିଳିବା ଖବର ପାଇଁ ଆସିକା ର ବୁଦ୍ଧିଜୀବୀ, ସାମ୍ବାଦିକ, ସମବାୟବିତ, କର୍ମଚାରୀ ସଙ୍ଘ ଏମ ଡି ଓ ସଭାପତି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l





