ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶାରେ ବିଦ୍ୟୁତ ବିତରଣ ବ୍ୟବସ୍ଥା ସୁଧାରିବା ପାଇଁ ଟାଟା ପାୱାର କରିବ ୯୧୯୩ କୋଟି ଟଙ୍କାର ପୁଞ୍ଜିନିବେଶ। ଏନେଇ ଆଜି ଓଇଆରସିରେ ହୋଇଛି ଶୁଣାଣି। କିନ୍ତୁ ଏହି ପ୍ରସ୍ତାବକୁ ଉପଭୋକ୍ତା ମହାସଂଘ କରିଛି ଜୋରଦାର ବିରୋଧ। ଏପେଟେ ପୁଞ୍ଜିନିବେଶ କରି ସାଧାରଣ ଉପଭୋକ୍ତାଙ୍କଠାରୁ ଟଙ୍କା ଆଦାୟ କରିବାକୁ ଟାଟା ପାଓ୍ୱାର ଯୋଜନା କରୁଥିବା ହୋଇଛି ଅଭିଯୋଗ।
ଓଡିଶା ବିଦ୍ୟୁତ ସେବାକୁ ନିର୍ଭରଯୋଗ୍ୟ କରିବା ପାଇଁ ଟାଟା ପାୱାର ବିତରଣ କମ୍ପାନୀଗୁଡିକ ୨୦୨୬-୨୭ରୁ ୨୦୩୦-୩୧ ମଧ୍ୟରେ ୯୧୯୩ କୋଟି ଟଙ୍କାର ଏକ ବହୁ ବର୍ଷୀୟ ପୁଞ୍ଜିନିବେଶ ଯୋଜନା କରିଛି। ଯୋଜନା ସମ୍ପର୍କିତ ଦରଖାସ୍ତ ଓଇଆରସିରେ ଦାଖଲ କରିଛନ୍ତି। ୨୦୨୬-୨୭ ପାଇଁ ୧୫୦୨ କୋଟି ଟଙ୍କା ଓଇଆର୍ସି ଅନୁମୋଦନ କରିଥିବାବେଳେ ଅବଶିଷ୍ଟ ପୁଞ୍ଜିନିବେଶ ଯୋଜନାକୁ ଅନୁମୋଦନ କରିବା ପାଇଁ ଓଇଆର୍ସିରେ ହୋଇଛି ଶୁଣାଣି। କିନ୍ତୁ ଶୁଣାଣୀ ସମୟରେ ଏହି ପ୍ରସ୍ତାବକୁ ଉପଭୋକ୍ତା ସଂଘ ଓ ଶକ୍ତି ସମୀକ୍ଷକ ବିରୋଧ କରିଛନ୍ତି।୫ ବର୍ଷ ପାଇଁ ଏକାଥରେ ପ୍ରାୟ ୯ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ କିପରି ଆସିଲା? ପ୍ରତିବର୍ଷ ପୁଞ୍ଜିନିବେଶ ପାଇଁ ନିୟମ ଥିବାବେଳେ ଏଭଳି ଦୀର୍ଘମିଆଦୀ ପ୍ରସ୍ତାବ ନିୟମସମ୍ମତ କି ନୁହେଁ, ସେନେଇ ମହାସଂଘ ପ୍ରଶ୍ନ ଉଠାଇଛି। ପୂର୍ବରୁ ପ୍ରାୟ ୭୫୦୦ କୋଟି ଟଙ୍କା କାପେକ୍ସ ବା ମୂଳଧନ ପୁଞ୍ଜିନିବେଶ ହୋଇଥିଲେ ମଧ୍ୟ ବିଦ୍ୟୁତ୍ ଭିତ୍ତିଭୂମିରେ ଆଶାନୁରୂପ ପରିବର୍ତ୍ତନ ଦେଖାଯାଉନାହିଁ ବୋଲି ଉପଭୋକ୍ତା ସଂଘ କହିଛି।






