ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ମଙ୍ଗଳବାର ଦିନ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି।ଗୃହ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ବ୍ରହ୍ମପୁରର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ଥିବା ୨୦୧୫ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଡକ୍ଟର ସରବଣା ବିବେକ ଏମଙ୍କୁ ବଦଳି କରାଯାଇ ଭୁବନେଶ୍ୱରର ନୂଆ ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ସୂଚନାଯୋଗ୍ୟ ଯେ, ଜଗମୋହନ ମୀନା ନିକଟରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଏଭଳି ପରିସ୍ଥିତିରେ ରାଜଧାନୀର ଆଇନଶୃଙ୍ଖଳା ବଜାୟ ରଖିବା ସହ ପାର୍ବଣ ଋତୁରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଡକ୍ଟର ସରବଣାଙ୍କ ଉପରେ ଏକ ବଡ଼ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।
ଅନ୍ୟପକ୍ଷରେ, ଡକ୍ଟର ସରବଣା ବିବେକଙ୍କ ବଦଳି ପରେ ଖାଲି ପଡ଼ିଥିବା ବ୍ରହ୍ମପୁର ଏସପି ପଦବୀରେ ୨୦୧୯ ବ୍ୟାଚ୍ର ଯୁବ ଆଇପିଏସ୍ ଅଧିକାରୀ ଅଭିନବ ସୋନକରଙ୍କୁ ନିଯୁକ୍ତି ଦିଆଯାଇଛି। ସୋନକର ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଢେଙ୍କାନାଳ ଏସପି ଭାବେ ୨୦୨୨ ବ୍ୟାଚ୍ର ଆଇପିଏସ୍ ମାନେ ଅଜିଙ୍କ୍ୟ ବାବୁରାଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ । ବାବୁରାଓ ଏବେ ପାରାଦୀପରେ ଅତିରିକ୍ତ ଏସପି (ଆଡିସନାଲ୍ ଏସପି) ଭାବେ ନିଜର ସେବା ପ୍ରଦାନ କରୁଛନ୍ତି ।
ଏହା ବ୍ୟତୀତ, ରାଜ୍ୟ ପୋଲିସ ମୁଖ୍ୟାଳୟରେ ସହକାରୀ ଏସପି ଭାବେ କାର୍ଯ୍ୟରତ ଥିବା ୨୦୨୧ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଏ.ବି. ଶିଳ୍ପାଙ୍କୁ ମଧ୍ୟ ବଦଳି କରାଯାଇଛି । ତାଙ୍କୁ ବରଗଡ଼ ଜିଲ୍ଲାର ଏସଡିପିଓ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି ।
ରାଜ୍ୟପାଳଙ୍କ ଆଦେଶକ୍ରମେ ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ଏବଂ ଏହି ବଦଳି ପ୍ରକ୍ରିୟାକୁ ତୁରନ୍ତ ଲାଗୁ କରିବାକୁ ବିଜ୍ଞପ୍ତିରେ ଦର୍ଶାଇ ଦିଆଯାଇଛି।






