ଭୁବନେଶ୍ୱର:ଜେଏମଜେ ନ୍ୟୁଜ : ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି। ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ପ୍ରାୟ ୭ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି ଏହି ଅବପାତ। ଆଜି ସକାଳ ୮ଟା ୩୦ ସୁଦ୍ଧା ଏହା କଳିଙ୍ଗପଟ୍ଟନମ୍ଠାରୁ ପ୍ରାୟ ୭୦ କିଲୋମିଟର ପଶ୍ଚିମ-ଉତ୍ତର-ପଶ୍ଚିମ, ରାୟଗଡ଼ାଠାରୁ ୮୦ କିଲୋମିଟର ଦକ୍ଷିଣ-ପୂର୍ବ, କୋରାପୁଟଠାରୁ ୯୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବ ଏବଂ ଛତିଶଗଡ଼ର ଜଗଦଲପୁରଠାରୁ ୧୭୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଥିଲା।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଜି ସନ୍ଧ୍ୟା ସୁଦ୍ଧା ଏହି ଗଭୀର ଅବପାତ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଇଏମ୍ଡିର ନିର୍ଦ୍ଦେଶିକା ଡ଼ଃ ମନୋରମା ମହାନ୍ତିଙ୍କ ଅନୁସାରେ ଅବପାତର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ଭାରିରୁ ଅତି ଭାରି ବର୍ଷାର ଆଶଙ୍କା ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।ଏହି ଜିଲ୍ଲାଗୁଡ଼ିକରେ ବିସ୍ତୃତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧ରୁ ୨ଟି ସ୍ଥାନରେ ଅତ୍ୟଧିକ ଭାରୀ ବର୍ଷା ହୋଇପାରେ। ସେହିପରି ନୂଆପଡ଼ା, ବଲାଙ୍ଗିର, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ବରଗଡ଼, ଦେବଗଡ଼, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।







