ଜେଏମଜେ ବ୍ୟୁରୋ : ଓଡ଼ିଶା ପୁଲିସ୍ ଡିଜି ନିଯୁକ୍ତି ବିବାଦ ଏକ ରୋଚକ ମୋଡ଼ ନେଇଛି । ଡିଜି ପଦର ପ୍ରମୁଖ ଦାବିଦାର ତଥା ଜେଲ୍ ଡିଜି ସୁଶାନ୍ତ ନାଥ ଏକ ସତ୍ୟପାଠ ଦାଖଲ କରି ଅନ୍ୟ ଦୁଇ ଦାବିଦାର ଆଇପିଏସ୍ ଆରପି କୋଚେ ଓ ସଂଜୀବ ପଣ୍ଡାଙ୍କ ଚିଟ୍ଫଣ୍ଡ କମ୍ପାନି ସିସୋର୍ ଲିଂକ୍ ସଂପର୍କରେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥଙ୍କୁ ସିବିଆଇ ଡାକିବା ପାଇଁ ନୋଟିସ୍ କରିଥିବାରୁ ତାଙ୍କର ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର କରି ଦିଆଗଲା ବୋଲି ରାଜ୍ୟ ସରକାର ଯୁକ୍ତି ଦର୍ଶାଇଥିଲେ।
ଏହାର ଜବାବରେ ଶ୍ରୀ ନାଥ ସତ୍ୟପାଠ ଦାଖଲ କରି ଦୁଇ ଆଇପିଏସ୍ ଅଧିକାରୀ ଆର୍.ପି କୋଚେ ଏବଂ ସଞ୍ଜୀବ ପଣ୍ଡାଙ୍କ ୧୦ବର୍ଷ ତଳର ସିବିଆଇ ଫାଇଲ୍ ଖୋଲିଛନ୍ତି । ସିସୋର ଲିଂକ୍ରେ ସିବିଆଇ ଦୁଇ ଆଇପିଏସ୍ ଅଧିକାରୀଙ୍କୁ ସେତେବେଳେ ପଚରାଉଚରା କରିଥିଲା ବୋଲି ଶ୍ରୀ ନାଥ ସୂଚନା ଦେଇଛନ୍ତି । ଏଭଳି ସତ୍ୟପାଠ ରାଜ୍ୟ ସରକାରଙ୍କୁ ଅକଳରେ ପକାଇଛି । ଆଜି ଏହା ଉପରେ ସୁପ୍ରିମ୍କୋର୍ଟରେ ଶୁଣାଣି ହେବାର ଅଛି । ଶ୍ରୀ ନାଥଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଓଡ଼ିଶା ସରକାରଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି ।
ଶ୍ରୀ ନାଥ ଦର୍ଶାଇଛନ୍ତି , ତାଙ୍କୁ ଏ ପର୍ଯ୍ୟନ୍ତ ସିବିଆଇ ପକ୍ଷରୁ କୌଣସି ପ୍ରକାର ଜେରା କରାଯାଇ ନାହିଁ । ସିବିଆଇ ପକ୍ଷରୁ କରାଯାଇଥିବା ଚିଠିରେ ତାଙ୍କୁ ‘ଯାଞ୍ଚ୍ କରାଯାଇ ପାରେ’ ବୋଲି ଉଲ୍ଲେଖ କରାଯାଇଛି । କିନ୍ତୁ ଯେଉଁ ଦୁଇ ଆଇପିଏସ୍ ଅଫିସର ଆରପି କୋଚେ ଏବଂ ସଞ୍ଜୀବ ପଣ୍ଡାଙ୍କ ନାମ ରାଜ୍ୟ ସରକାରଙ୍କ ପକ୍ଷରୁ ଡିଜି ପଦ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ୟୁପିଏସ୍ସି )କୁ ପ୍ରଦାନ କରାଯାଇଛି ସେମାନଙ୍କୁ ୨୦୧୬ ମସିହାରେ ସିସୋର୍ ଚିଟ୍ଫଣ୍ଡ ମାମଲାରେ ସିବିଆଇ ଡାକି ପଚରାଉଚୁରା କରିସାରିଛି । କିନ୍ତୁ ସେମାନଙ୍କ ଏହି ସମ୍ପୃକ୍ତି ସମ୍ପର୍କରେ ରାଜ୍ୟ ସରକାର ନା ସୁପ୍ରିମ୍କୋର୍ଟକୁ କିମ୍ବା ୟୁପିଏସ୍ସି କାହାକୁ ବି ଅବଗତ କରିନାହାନ୍ତି । ସିବିଆଇ ପକ୍ଷରୁ ଜେରା କରାଯାଇଥିବାରୁ ସେମାନଙ୍କ ଇଣ୍ଟିଗ୍ରିଟି ସାଟି ର୍ଫିକେଟ୍କୁ ରାଜ୍ୟ ସରକାର ପ୍ରତ୍ୟାହାର ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି । କିନ୍ତୁ ସିବିଆଇ ନୋଟିସ୍ କାରଣରୁ ସରକାର ତାଙ୍କ ଇଣ୍ଟିଗ୍ରିଟ୍ ସାର୍ଟିଫିକେଟ୍ ପ୍ରତ୍ୟାହାର କରିନେଇଛନ୍ତି । ଶ୍ରୀ ନାଥ ଏହି ସତ୍ୟପାଠ ଜରିଆରେ ସେତେବେଳର ସିବିଆଇ ମାମଲା ସଂକ୍ରାନ୍ତ ନ୍ୟୁଜ୍ ଏବଂ ବିଭିନ୍ନ ଡକ୍ୟୁମେଣ୍ଟ ଦାଖଲ କରିଛନ୍ତି ।
ଓଡ଼ିଶା ପୁଲିସ୍ ନିଯୁକ୍ତି ପରୀକ୍ଷା (ଓପିଆର୍ବି) ରେ ଶ୍ରୀ ନାଥଙ୍କ ସମ୍ପୃକ୍ତି ନେଇ ରାଜ୍ୟ ସରକାର ଅଭିଯୋଗ ବାଢ଼ିଛନ୍ତି । ଶ୍ରୀ ନାଥ ଦର୍ଶାଇଛନ୍ତି, ଏହି ମାମଲାରେ ସିବିଆଇ ପକ୍ଷରୁ ତିନିଥର ଚାର୍ଜସିଟ୍ ଦାଖଲ କରାଯାଇସାରିଲାଣି । ପ୍ରାଥମିକ ଚାର୍ଜସିଟ୍ରେ ୧୬ଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରାଯାଇଥିଲାବେଳେ ପରେ ଦୁଇଟି ଚାର୍ଜସିଟ୍ ଦାଖଲ ହୋଇଛି । ଏଥିରେ ଆଉ ତିନି ଅଭିଯୁକ୍ତଙ୍କ ବିରୋଧରେ ଉଲ୍ଲେଖ ରହିଛି । କିନ୍ତୁ ତିନି ଚାର୍ଜସିଟ୍ରେ ଓପିଆର୍ବିର କୌଣସି କର୍ମଚାରୀ ବା ଅଧିକାରୀଙ୍କ ନାମ ଆସିନାହିଁ । ଏପରିକି ଆବେଦନକାରୀ ଶ୍ରୀ ନାଥଙ୍କ ବିରୋଧରେ ମଧ୍ୟ କୌଣସି ଗୋଟିଏ ପ୍ରମାଣ ସିବିଆଇ ପାଇପାରିନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି । ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏଏସ୍ଓ ପରୀକ୍ଷା ବାତିଲ୍ ସଂକ୍ରାନ୍ତରେ ମଧ୍ୟ ଶ୍ରୀ ନାଥ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।





