ଜେଏମଜେ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ଜମିବ ରାଜନୀତି । ଗାନ୍ଧୀ ଜୟନ୍ତୀରୁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ଦଳ । ନେତା ଯିବେ ଗାଁକୁ, କର୍ମୀ ପହଞ୍ଚିବେ ଘରକୁ । ଆଉ ଲୋକଙ୍କ ପାଖରେ ପହଞ୍ଚିବ ଦଳୀୟ ବାର୍ତ୍ତା । ବିଜେଡି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖକୁ ଯାଉଥିବା ବେଳେ କଂଗ୍ରେସ ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ ଏବଂ ବିଜେପି ‘ସେବା ସଂକଳ୍ପ’ ଅଭିଯାନ ଆରମ୍ଭ କରିଛି ।
ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପୀ ‘ଜନସମ୍ପର୍କ ପଦଯାତ୍ରା’ ଆରମ୍ଭ କରିଛି ବିଜେଡି । ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ଭୁବନେଶ୍ୱର ୫୨ ନମ୍ବର ୱାର୍ଡରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ରାଜ୍ୟର ୩୪ଟି ସାଙ୍ଗଠନିକ ଜିଲ୍ଲା ସମେତ ବ୍ଲକ୍, ପୌରାଞ୍ଚଳ, ଏନ୍ଏସି ଓ ମହାନଗର ନିଗମ ସ୍ତରରେ କାର୍ଯ୍ୟକ୍ରମ ହେବ। ସରକାରଙ୍କ କାର୍ଯ୍ୟକଳାପ, ଜନସମସ୍ୟା ଓ ନିର୍ବାଚନୀ ପ୍ରତିଶ୍ରୁତିକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବ ଦଳ ।
ସେପଟେ ବିଜେଡିର ପଦଯାତ୍ରା ମଧ୍ୟରେ କଂଗ୍ରେସ ଆରମ୍ଭ କରିଛି ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ । ଅକ୍ଟୋବର ୨ରୁ ୮ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରିବ ଦଳ । ପଦଯାତ୍ରା, ମାଲ୍ୟାର୍ପଣ, ସଭା ଓ ଲିଫ୍ଲେଟ୍ ବଣ୍ଟନ ମାଧ୍ୟମରେ ଲୋକଙ୍କ ପାଖକୁ ଯିବାକୁ ଯୋଜନା ରହିଛି । ଅକ୍ଟୋବର ୬ରେ ଜିଲ୍ଲାସ୍ତରୀୟ ସମାବେଶ ଏବଂ ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ପାଇଁ ଦଳ ଡାକରା ଦେଇଛି ।
ସେହିପରି ସଭା ଓ ପଦଯାତ୍ରା ବଦଳରେ ‘ସେବା’ ମାଧ୍ୟମରେ ତଳସ୍ତରକୁ ଯିବାକୁ ଅଭିଯାନ ଆରମ୍ଭ କରିଛି ବିଜେପି । ‘ସେବା ସଂକଳ୍ପ’ ଅଭିଯାନରେ ସ୍ୱଚ୍ଛତା ଅଭିଯାନ ସହ ଅଙ୍ଗନବାଡ଼ି, ସ୍କୁଲ ଓ କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବ ଦଳ। ବୃଦ୍ଧ ଓ ଯୁବବର୍ଗଙ୍କୁ ଯୋଡ଼ିବା ଉପରେ ମଧ୍ୟ ଫୋକସ୍ ରହିଛି । ପ୍ରତି ବୁଥ୍ରେ ‘ବିକଶିତ ସଂକଳ୍ପ ଯାତ୍ରା’ ଆୟୋଜନ କରିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଓ ବିକାଶ ସମ୍ପର୍କିତ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଛି ଦଳ ।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ତିନି ଦଳର ଏହି ଗ୍ରାଉଣ୍ଡ କ୍ୟାମ୍ପେନ୍କୁ ନେଇ ରାଜନୈତିକ ମୈଦାନ ସରଗରମ ହୋଇଛି । ନେତା ଗାଁକୁ ଯିବେ, କର୍ମୀ ଘରେ ଘରେ ପହଞ୍ଚିବେ । ଭୋଟରଙ୍କ ନିକଟରେ ନିଜ ନିଜ ଦଳର ବାର୍ତ୍ତା ପହଞ୍ଚାଇବା ଉପରେ ତିନି ଦଳର ଫୋକସ୍ ରହିଛି । ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ତଳସ୍ତରୀୟ ଅଭିଯାନ ଆଗାମୀ ଦିନରେ କେତେ ଦୂର ପ୍ରଭାବ ପକାଉଛି, ତାହା ଉପରେ ନଜର ।






