ଜେଏମଜେ ବ୍ୟୁରୋ : SIRକୁ ନେଇ ବିବାଦ ଥମିବାର ନାଁ ନେଉନି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଦିଲ୍ଲୀର ଯନ୍ତରମନ୍ତରରେ ବିଭିନ୍ନ ବିରୋଧୀ ଦଳ, ଛାତ୍ର ଓ ଯୁବ ସଂଗଠନ ପ୍ରତିବାଦ କରିଛନ୍ତି । ଦିଲ୍ଲୀ ପୁଲିସ ୭୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଛି । ଅଟକ ହୋଇଥିବା ନେତାଙ୍କ ମଧ୍ୟରେ ଆପ୍ର ସୌରଭ ଭରଦ୍ୱାଜ, ଆତିଶୀ ଓ ସଞ୍ଜୀବ ଝାଙ୍କ ସମେତ ଅନ୍ୟମାନେ ରହିଛନ୍ତି ।
SIR ପ୍ରକ୍ରିୟା ଓ ଭୋଟର ତାଲିକା ସମ୍ପର୍କିତ ଅନିୟମିତତାର ଅଭିଯୋଗ ଉଠାଇ ବିକ୍ଷୋଭକାରୀମାନେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଛନ୍ତି । ଯନ୍ତରମନ୍ତର ଅଭିମୁଖେ ଯାଉଥିବା ବିଭିନ୍ନ ଦଳ ଓ ଛାତ୍ର ସଂଗଠନର କର୍ମୀଙ୍କୁ ପୁଲିସ ଅଟକାଇବା ପରେ କିଛି ସ୍ଥାନରେ ଧସ୍ତାଧସ୍ତି ପରିସ୍ଥିତି ମଧ୍ୟ ଦେଖାଦେଇଥିଲା ।
ସୁରକ୍ଷା ଦୃଷ୍ଟିରୁ ନୂଆଦିଲ୍ଲୀ ଜିଲ୍ଲାରେ BNSSର ଧାରା ୧୬୩ ଅନୁଯାୟୀ ନିଷେଧାଜ୍ଞା ଜାରି କରାଯାଇଥିଲା । ଯନ୍ତରମନ୍ତର ଓ ଆଖପାଖ ଅଞ୍ଚଳରେ ବ୍ୟାରିକେଡ୍ ଲଗାଯିବା ସହ ଦିଲ୍ଲୀ ମେଟ୍ରୋର ୧୨ଟି ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ସାମୟିକ ଭାବେ ବନ୍ଦ ରଖାଯାଇଥିଲା । ସେପଟେ ମୁମ୍ବାଇର ଶିବାଜୀ ପାର୍କରେ CJP ପକ୍ଷରୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘ଜେଲ୍ ଭରୋ ଆନ୍ଦୋଳନ’ ଆରମ୍ଭ ହୋଇଛି । ଏହି ଆନ୍ଦୋଳନକୁ ନେଇ ଶିବାଜୀ ପାର୍କ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । CJP ଏହି ଆନ୍ଦୋଳନକୁ ଅନ୍ୟ ସହରକୁ ବିସ୍ତାର କରିବା ନେଇ ଘୋଷଣା କରିଛି ।
ଓଡ଼ିଶାରେ ମଧ୍ୟ SIR ପ୍ରସଙ୍ଗକୁ ନେଇ ପ୍ରତିବାଦ ହୋଇଛି। ଏପଟେ ବିରୋଧୀ ଇଣ୍ଡିଆ ମେଣ୍ଟ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ‘ସେଭ୍ ଡେମୋକ୍ରାସି ମାର୍ଚ୍ଚ’ ଆୟୋଜନ କରୁଛି । ଅକ୍ଟୋବର ୬ରେ ବିରୋଧୀ ସାଂସଦମାନେ ମୁଖ୍ୟ ନିର୍ବାଚନ କମିସନରଙ୍କ କାର୍ଯ୍ୟାଳୟ ଅଭିମୁଖେ ବିକ୍ଷୋଭ ଶୋଭାଯାତ୍ରା କରିବାକୁ ଘୋଷଣା କରିଛନ୍ତି । SIRକୁ ନେଇ ଦିଲ୍ଲୀରୁ ମୁମ୍ବାଇ ଏବଂ ଓଡ଼ିଶା ପର୍ଯ୍ୟନ୍ତ ରାଜନୈତିକ ପ୍ରତିବାଦ ଜାରି ରହିଥିବା ବେଳେ ଆଗାମୀ ଦିନରେ ଏହି ବିବାଦ କେଉଁ ମୋଡ଼ ନେଉଛି, ତା’ ଉପରେ ନଜର ରହିଛି ।






