ଭୁବନେଶ୍ଵର:ଜେଏମଜେ ନ୍ୟୁଜ : ପୁଣି ଡରାଇଲାଣି ଅକ୍ଟୋବର । ଦ୍ଵିତୀୟ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ନେଇ ପାଣିପାଗ ବିଜ୍ଞାନୀଙ୍କ ଆକଳନ ପରେ ଉପକୂଳିଆଙ୍କ ଛାତି ଧଡ଼ଧଡ଼ । ହେବ କି ବାତ୍ୟା ? ଆସନ୍ତା ୧୨ରୁ ୧୩ ତାରିଖ ଭିତରେ ଲଘୁଚାପର ରୂପ ନେବା ପରେ ହେବ ସ୍ପଷ୍ଟ । କୁଆଡ଼େ ଯିବ, କେତେ ରହିବ ପ୍ରଭାବ ଆକଳନ ହୋଇନି । ସେପଟେ IMD ଏନେଇ ପୂର୍ବାନୁମାନ କରିନଥିଲେ ବି ଏଥର ପାର୍ବଣ ପାଣିଚିଆ ହେବା ଥୟ କହିଲେଣି ପାଣିପାଗ ବିଜ୍ଞାନୀ ।
ଏଥର ପୁଣି ବର୍ଷାରେ ଭିଜିବ କି ଦଶହରା ? ପାଣିଚିଆ ହୋଇଯିବ କି ପାର୍ବଣ ? ଅକ୍ଟୋବର ଆରମ୍ଭ ହେଉଣୁ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଉପକୂଳିଆଙ୍କ ନିଦ ହଜାଇ ଦେଲାଣି । ଆସନ୍ତା ୧୨ରୁ ୧୩ ତାରିଖ ଭିତରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
ତେବେ ଏହି ସିଷ୍ଟମ କେତେ ଘନୀଭୂତ ହେବ ଏବେଠୁ ଆକଳନ କରିବା ମୁସ୍କିଲ୍ । ଯଦି ଏହା ବଳ ଗୋଟାଇ ଶକ୍ତିଶାଳୀ ହୁଏ ତେବେ କଥା ସରିଲା । ଅନ୍ୟପଟେ ପାଣିପାଗ ବିଶେଷଜ୍ଞଙ୍କ ମତ ଏହି ସିଷ୍ଟମ କେତେ ଶକ୍ତିଶାଳୀ ହେବ ଓ କୁଆଡ଼େ ମୁହାଁଇବ ତାହା ଲଘୁଚାପରେ ପରିଣତ ହେବା ପରେ ସ୍ପଷ୍ଟ ହେବ ।







