କୋରାପୁଟ : ଜେମେଜେ ନ୍ୟୁଜ : କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ଗସ୍ତ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହାଲ ହେଲିପ୍ୟାଡ୍ରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ସିଧାସଳଖ ହାଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ପ୍ରତିରକ୍ଷା ବିଭାଗ ଓ ହାଲ ର ବରିଷ୍ଠ ଅଧିକାରୀଙ୍କ ସହ ପ୍ରତିରକ୍ଷା ଉତ୍ପାଦନ, ୟୁନିଟ୍ର କାର୍ଯ୍ୟକଳାପ ଏବଂ ଭବିଷ୍ୟତର ବିଭିନ୍ନ ଯୋଜନା ନେଇ ଆଲୋଚନା କରିଥିଲେ। ଏହି ଅବସରରେ ‘ଶକ୍ତି’ ଇଞ୍ଜିନ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ମିଗ୍, ସୁଖୋଇ ଭଳି ପ୍ରତିରକ୍ଷା ବିମାନ ପାଇଁ ଇଞ୍ଜିନ୍ ଓ ବିଭିନ୍ନ ଉପକରଣ ଉତ୍ପାଦନ କ୍ଷେତ୍ରରେ ସୁନାବେଡ଼ା ହାଲ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଏବେ ‘ଶକ୍ତି’ ଇଞ୍ଜିନ୍କୁ ନେଇ ଆଗାମୀ ଦିନରେ ସୁନାବେଡ଼ା ହାଲ ର କାର୍ଯ୍ୟକ୍ଷେତ୍ର ଆହୁରି ବ୍ୟାପକ ହେବା ନେଇ ଆଶା କରାଯାଉଛି। ଏହା ଦ୍ୱାରା କୋରାପୁଟ ଜିଲ୍ଲାର ପ୍ରତିରକ୍ଷା ଶିଳ୍ପ ସହ ଜଡ଼ିତ ଭିତ୍ତିଭୂମି ଓ ଦକ୍ଷତା ବିକାଶକୁ ମଧ୍ୟ ନୂଆ ଦିଗ ମିଳିବ ବୋଲି ଆଶା ପ୍ରକାଶ ପାଇଛି।

ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଜ଼ିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ଥିଲେ।
ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ





