ଜେଏମଜେ ବ୍ୟୁରୋ : ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗନ କେନ୍ଦ୍ରମନ୍ତ୍ରୀ ପଦ ସହିତ ରାଜ୍ୟସଭା ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ମୁରୁଗନ ‘ଏକ୍ସ’ରେ ପୋଷ୍ଟ କରି ନିଜ ଇସ୍ତଫାର କାରଣ ବ୍ୟାଖ୍ୟା କରିଛନ୍ତି। ସେ ଲେଖିଛନ୍ତି, “ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଭାରତ ମାତା ଓ ତାମିଲନାଡୁର ସେବା କରିବା ମୋ ଜୀବନର ସବୁଠାରୁ ବଡ଼ ସମ୍ମାନ।ଦିନମଜୁରିଆଙ୍କ ପୁଅ ଭାବେ ଜୀବନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ କେନ୍ଦ୍ର ମନ୍ତ୍ରିପରିଷଦରେ ସେବା କରିବାର ସୁଯୋଗ ମିଳିବା ମୋ ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ। ଏବେ ମୁଁ ପୁଣି ତୃଣମୂଳ ସ୍ତରକୁ ଫେରିବାକୁ ଚାହୁଁଛି, ମୋ କାର୍ୟ୍ୟକର୍ତ୍ତାମାନଙ୍କ ସହ ଠିଆ ହେବାକୁ ଚାହୁଁଛି ଏବଂ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ବିଜେପିକୁ ଆହୁରି ମଜବୁତ କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିବାକୁ ଚାହୁଁଛି। ରାଷ୍ଟ୍ର ସର୍ବୋପରି, ତା’ପରେ ପାର୍ଟି, ଏବଂ ସବୁଠାରୁ ଶେଷରେ ନିଜ ସ୍ୱାର୍ଥ।”
ଏଲ୍. ମୁରୁଗନଙ୍କ ଇସ୍ତଫା ପରେ ରାଜନୈତିକ ମହଳରେ ଚର୍ଚ୍ଚା ତୀବ୍ର ହୋଇଛି। ୨୦୨୯ ଲୋକସଭା ନିର୍ବାଚନକୁ ନଜରରେ ରଖି ବିଜେପି ତାମିଲନାଡୁରେ ନିଜ ସଂଗଠନକୁ ମଜବୁତ କରିବାର ରଣନୀତି ଉପରେ କାମ କରୁଥିବା କୁହାଯାଉଛି। ମୁରୁଗନଙ୍କୁ ସାଂଗଠନିକ ଓ ରାଜନୈତିକ ଦାୟିତ୍ୱ ସହ ରାଜ୍ୟ ରାଜନୀତିରେ ସକ୍ରିୟ ଭୂମିକା ଦେବା ପାଇଁ ପ୍ରସ୍ତୁତି ଚାଲିଥିବା ମଧ୍ୟ ଚର୍ଚ୍ଚା ହେଉଛି। ତାମିଲନାଡୁ ବିଜେପିର ନେତୃତ୍ୱ ନେଇସାରିଥିବା ମୁରୁଗନଙ୍କୁ ରାଜ୍ୟରେ ପାର୍ଟିର ଏକ ପ୍ରମୁଖ ଦଳିତ ଚେହେରା ଭାବେ ଦେଖାଯାଏ।







