ଜେଏମଜେ ନ୍ୟୁଜ : ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବଢ଼ିଲା ଉତ୍ସାହ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ସମ୍ପର୍କିତ ତଥ୍ୟ ପ୍ରକାଶ କରାଯାଇଛି । ରାଜ୍ୟର ମୋଟ ୩୪୭ଟି କଲେଜ ଏହି ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି। ନିର୍ବାଚନ ପାଇଁ ମୋଟ ୮,୩୭୦ଟି ନାମାଙ୍କନପତ୍ର ଦାଖଲ ହୋଇଥିଲା ।ଦାଖଲ ହୋଇଥିବା ନାମାଙ୍କନପତ୍ର ମଧ୍ୟରୁ ୧,୧୯୬ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ ହୋଇଥିବା ବେଳେ ୭,୧୭୪ ଜଣଙ୍କ ନାମାଙ୍କନ ବୈଧ ଘୋଷଣା କରାଯାଇଥିଲା । ଏହାପରେ ୪୦୫ ଜଣ ପ୍ରାର୍ଥୀ ନିଜ ନାମାଙ୍କନ ପ୍ରତ୍ୟାହାର କରିନେଇଥିଲେ ।
ନାମାଙ୍କନ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନରେ ଲଢ଼ିବାକୁ ଥିବା ପ୍ରାର୍ଥୀଙ୍କ ଚୂଡ଼ାନ୍ତ ସଂଖ୍ୟା ୬,୩୬୨ ରହିଛି । ଏହି ପ୍ରାର୍ଥୀମାନେ ବିଭିନ୍ନ ପଦବୀ ପାଇଁ ଛାତ୍ର ସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜଗୁଡ଼ିକରେ ରାଜନୈତିକ ତତ୍ପରତା ବଢ଼ିଥିବା ବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ନିର୍ବାଚନୀ ପ୍ରତିଦ୍ୱନ୍ଦ୍ୱିତା ଆହୁରି ଜୋରଦାର ହେବା ଆଶା କରାଯାଉଛି ।





