ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆଉ ଏହାର ପ୍ରଭାବରେ ବଦଳିଯାଇଛି ଓଡ଼ିଶାର ପାଗ । ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ବର୍ଷା । କେଉଁଠି ମୂଷଳଧାରା ବର୍ଷା ତ କେଉଁଠି ଜଳବନ୍ଦୀ ଆଶଙ୍କା । ଆଗାମୀ ୨୪ ଘଣ୍ଟାରେ କେତେକ ସ୍ଥାନରେ ଭାରିରୁ ଅତି ପ୍ରବଳ ବର୍ଷା ହୋଇପାରେ ।ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର ।
ବର୍ଷା ସହ ଉପକୂଳରେ ବଢ଼ିଛି ସମୁଦ୍ରର ଅଶାନ୍ତି । ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ସମୁଦ୍ରରେ ଉଚ୍ଚ ଲହଡ଼ି ଉଠିବା ସହ ଆଗାମୀ ୪୮ ଘଣ୍ଟାରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିପାରେ । ଝଟକା ପବନ ୬୦ କିଲୋମିଟର ପ୍ରତି ଘଣ୍ଟା ଛୁଇଁପାରେ । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ରାସ୍ତାଘାଟରେ ଯାତାୟାତ ପ୍ରଭାବିତ ହୋଇପାରେ । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ମଧ୍ୟ ରହିଛି । ସମୁଦ୍ର ଅଶାନ୍ତ ରହିବା ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଯାଇଛି । ସେହିପରି ଲୋକଙ୍କୁ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।








