ନୂଆଦିଲ୍ଲୀ:ଜେଏମଜେ ନ୍ୟୁଜ : ଡିଜିଟାଲ୍ ଇଣ୍ଡିଆ ଯୁଗରେ ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟରଫେସ୍ ବା ୟୁପିଆଇ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି। ୟୁପିଆଇ କାରବାର ଉପରେ ଚାର୍ଜ ଲାଗିବା ନେଇ ଲୋକଙ୍କ ମନରେ ଥିବା ଆଶଙ୍କା ମଧ୍ୟରେ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ୟୁପିଆଇ ପେମେଣ୍ଟ ପାଇଁ ନୂତନ ସ୍ଲାବ୍ ଘୋଷଣା କରାଯାଇଛି, ଯାହା ଅନୁଯାୟୀ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ ଉପରେ କୌଣସି ପ୍ରକାରର ଶୁଳ୍କ ବା ଅତିରିକ୍ତ ଦେୟ ଲାଗିବ ନାହିଁ ।
ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସାଧାରଣ ଗ୍ରାହକମାନେ କରୁଥିବା ଛୋଟମୋଟ ଲେଣଦେଣ ସମ୍ପୂର୍ଣ୍ଣ ମାଗଣା ରହିବ। ଦେଶରେ ହେଉଥିବା ମୋଟ ୟୁପିଆଇ କାରବାର ମଧ୍ୟରୁ ପ୍ରାୟ ୯୯ ପ୍ରତିଶତ ପେମେଣ୍ଟ ୨୦୦୦ ଟଙ୍କାରୁ କମ୍ ହୋଇଥାଏ । ତେଣୁ ଗାଁ ଗହଳିଠୁ ଆରମ୍ଭ କରି ଭୁବନେଶ୍ୱର-କଟକ ଭଳି ସହରରେ ଥିବା ଚାହା ଦୋକାନୀ, ପନିପରିବା ବିକ୍ରେତା କିମ୍ବା ଗ୍ରୋସରୀ ଦୋକାନରେ ସ୍କାନ୍ କରି ପେମେଣ୍ଟ କଲେ ଗ୍ରାହକ କିମ୍ବା ଛୋଟ ଦୋକାନୀ କାହାକୁ ବି ନିଜ ପକେଟରୁ ଶୁଳ୍କ ଦେବାକୁ ପଡ଼ିବ ନାହିଁ ।
ତେବେ ୨୦୦୦ ଟଙ୍କାରୁ ଊର୍ଦ୍ଧ୍ୱ କାରବାର ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ଲାଗୁ କରାଯାଇଛି । ବିଶେଷକରି ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ ଯେପରିକି ପେଟିଏମ୍ ୱାଲେଟ୍, ଫୋନ୍ ପେ ୱାଲେଟ୍ କିମ୍ବା ଆମାଜନ୍ ପେ ଭଳି ମାଧ୍ୟମ ବ୍ୟବହାର କରି କୌଣସି ଗ୍ରାହକ ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପେମେଣ୍ଟ ବ୍ୟବସାୟୀଙ୍କୁ କଲେ, ଏହା ଉପରେ ଇଣ୍ଟରଚେଞ୍ଜ୍ ଫି’ ଲାଗୁ ହେବ। ଏହି ଶୁଳ୍କ ବିଭିନ୍ନ ବର୍ଗ ଅନୁଯାୟୀ ୦.୫ ରୁ ୧.୧ ପ୍ରତିଶତ ମଧ୍ୟରେ ରହିବ। କୃଷି ଓ ଶିକ୍ଷା କ୍ଷେତ୍ର ପାଇଁ ଏହି ଦେୟ କମ୍ ରଖାଯାଇଛି ।

ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଇଣ୍ଟରଚେଞ୍ଜ୍ ଫି’ କେବଳ ବଡ଼ ବ୍ୟବସାୟୀଙ୍କୁ ହିଁ ବହନ କରିବାକୁ ପଡ଼ିବ, ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ଅର୍ଥାତ୍ ଯଦି ଆପଣ ୫୦୦୦ ଟଙ୍କାର ସାମଗ୍ରୀ କିଣୁଛନ୍ତି, ତେବେ ଆପଣଙ୍କୁ କେବଳ ୫୦୦୦ ଟଙ୍କା ହିଁ ପେମେଣ୍ଟ କରିବାକୁ ପଡ଼ିବ। ଏହା ସହିତ ବ୍ୟକ୍ତିଗତ ସ୍ତରରେ ଗୋଟିଏ ବ୍ୟାଙ୍କ ଖାତାରୁ ଅନ୍ୟ ଏକ ବ୍ୟାଙ୍କ ଖାତାକୁ ହେଉଥିବା ସିଧାସଳଖ ନେଣଦେଣ ପୂର୍ବପରି ସମ୍ପୂର୍ଣ୍ଣ ମାଗଣା ରହିବ ।





