ଭୁବନେଶ୍ବର: ଜେଏମଜେ ନ୍ୟୁଜ : ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ ବା SIR ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଓଡ଼ିଶାରେ ପ୍ରାୟ ୪ ମାସ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ଦୁଇଟି ପର୍ଯ୍ୟାୟରେ ମୋଟ ୨୦ ଲକ୍ଷ ୫୬ ହଜାର ଭୋଟରଙ୍କ ନାଁ ବାଦ ପଡ଼ିଛି । ଚୂଡ଼ାନ୍ତ ତାଲିକା ଅନୁଯାୟୀ, ଏବେ ଓଡ଼ିଶାରେ ମୋଟ ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ ଜଣ ଭୋଟର ଅଛନ୍ତି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୧ ଲକ୍ଷ ୩୦ ହଜାର ୩୧୯ । ମହିଳା ଭୋଟର ୧ କୋଟି ୫୪ ଲକ୍ଷ ୯୯ ହଜାର ୬୬୧ ଥିବାବେଳେ ତୃତୀୟ ଲିଙ୍ଗର ଭୋଟର ସଂଖ୍ୟା ୨ ହଜାର ୭୭୪ ।
ବିଭିନ୍ନ କାରଣରୁ ଭୋଟର ତାଲିକାରୁ ଏହି ନାଁଗୁଡ଼ିକୁ ବାଦ୍ ଦିଆଯାଇଛି । ବାଦ୍ ପଡ଼ିଥିବା ଭୋଟରଙ୍କ ମଧ୍ୟରୁ ୮ ଲକ୍ଷ ୩୨ ହଜାର ୫୪୪ ଜଣ ମୃତ, ୮ ଲକ୍ଷ ୮ ହଜାର ୨୦୫ ଜଣ ସ୍ଥାନାନ୍ତରିତ, ୧ ଲକ୍ଷ ୯୯ ହଜାର ୨୪୯ ଜଣ ଅନୁପସ୍ଥିତ ଏବଂ ୧ ଲକ୍ଷ ୫୮ ହଜାର ୧୧୮ ଜଣଙ୍କ ନାଁ ନକଲି ଥିବା ଦର୍ଶାଯାଇଛି । ଅନ୍ୟାନ୍ୟ କାରଣରୁ ୧୪ ହଜାର ୪୪୧ ଜଣଙ୍କ ନାଁ ବାଦ୍ ପଡ଼ିଛି । ଡ୍ରାଫ୍ଟ ପ୍ରକାଶ ପୂର୍ବରୁ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ ତାଲିକାରୁ ବାଦ୍ ପଡ଼ିଥିଲା। ଡ୍ରାଫ୍ଟ ପରେ ଅଯୋଗ୍ୟ ଥିବା ଆଉ ୪୪ ହଜାର ୭୭୮ ଜଣ ଭୋଟରଙ୍କ ନାଁ କଟିଛି । ସେହିପରି ଚୂଡ଼ାନ୍ତ ତାଲିକାରେ ୨ ଲକ୍ଷ ୪୫ ହଜାର ୭୨୦ ଜଣ ନୂଆ ଭୋଟରଙ୍କ ନାଁ ଯୋଡ଼ାଯାଇଛି ।
ସେପଟେ ବିଭିନ୍ନ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପରେ ଗଜପତି ଜିଲ୍ଲାରେ ତିବ୍ବତୀୟଙ୍କ ନାମ ବାଦ୍ କୁ ନେଇ ବିବାଦ। ଜିଲ୍ଲାରେ ୨୯ ହଜାର ୨୬୯ ଜଣ ତାଲିକାରୁ ବାଦ୍ ପଡ଼ିଛନ୍ତି। ମୋହନା ଓ ଆର୍ .ଉଦୟଗିରିରେ ପ୍ରାୟ ୨୭ ଶହ ତିବ୍ବତୀୟ ରହୁଥିବାବେଳେ ୫ଟି ତିବ୍ବତୀୟ କ୍ୟାମ୍ପରୁ ୩୩୬ ଜଣଙ୍କ ନାମ ଚୂଡ଼ାନ୍ତ ତାଲିକାରେ ନଥିବା ଅଭିଯୋଗ ହୋଇଛି। ମୋହନାରୁ ୨୪୮ ଏବଂ ଆର୍ .ଉଦୟଗିରିରୁ ୮୮ ଜଣଙ୍କ ନାମ ବାଦ୍ ପଡ଼ିଛି। ତଥ୍ୟ ଅନୁସାରେ, ତିବ୍ବତୀୟମାନେ ଏଠାରେ ୧୯୬୨ ମସିହାରୁ ରହିଆସୁଛନ୍ତି। ଅନେକଙ୍କ ପାଖରେ ଭୋଟର ପରିଚୟ ପତ୍ର, ରାସନ କାର୍ଡ ରହିଛି। ଅନେକ ଭତ୍ତା ବି ପାଉଛନ୍ତି l ଏହା ସତ୍ତ୍ୱେ ନାଁ ତାଲିକାରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଛି।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, କୌଣସି ଯୋଗ୍ୟ ଭୋଟରଙ୍କ ନାଁ ଭୁଲବଶତଃ କଟିଯାଇଥିଲେ ନାଁ ଯୋଡ଼ିବା ପାଇଁ ଫର୍ମ-୬/୬Aରେ ଆବେଦନ କରିପାରିବେ । ସେହିପରି ତଥ୍ୟ ସଂଶୋଧନ ପାଇଁ ଫର୍ମ-୮ ଏବଂ ନାଁ କାଟିବା ପାଇଁ ଫର୍ମ-୭ରେ ଆବେଦନ କରାଯାଇପାରିବ । ପ୍ରଥମ ଅପିଲ ଜିଲ୍ଲାପାଳ/ଡିଇଓଙ୍କ ନିକଟରେ ଏବଂ ଦ୍ୱିତୀୟ ଅପିଲ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ କରିହେବ ବୋଲି ସିଇଓ ସୂଚନା ଦେଇଛନ୍ତି ।







