ଜେଏମଜେ ବ୍ୟୁରୋ : ସେପ୍ଟେମ୍ବର ମାସ ଶେଷ ବେଳକୁ 5 ଦିନ ବନ୍ଦ ରହିବ ବ୍ୟାଙ୍କ । ଯଦି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) କିମ୍ବା ଅନ୍ୟ କୌଣସି ସରକାରୀ ବ୍ୟାଙ୍କରେ ଆପଣଙ୍କର କୌଣସି ଜରୁରୀ କାମ ବାକି ରହିଯାଇଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ଆଗାମୀ ଦିନରେ ଦେଶରେ ବ୍ୟାଙ୍କିଂ କାର୍ଯ୍ୟ ଗୁରୁତର ଭାବରେ ପ୍ରଭାବିତ ହେବାକୁ ଯାଉଛି ।ଅନେକ ସ୍ଥାନରେ ବ୍ୟାଙ୍କ ଗୁଡ଼ିକ ସେପ୍ଟେମ୍ବର 26ରୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ଲଗାତାର 5 ଦିନ ପାଇଁ ବନ୍ଦ ରହିପାରେ ।ବ୍ୟାଙ୍କ ଗୁଡ଼ିକ ବନ୍ଦ ହେବାର କାରଣ ହେଉଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ (UFBU) ଦ୍ୱାରା ଡାକରା ଦିଆଯାଇଥିବା ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟ । ବିଭିନ୍ନ ଦାବି ପାଇଁ UFBU ସେପ୍ଟେମ୍ବର 28ରୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ।ଏହି ଧର୍ମଘଟ ପୂର୍ବରୁ ଦୁଇଟି ସାପ୍ତାହିକ ଛୁଟି ରହିଛି । ସେପ୍ଟେମ୍ବର 26 ତାରିଖ ହେଉଛି ମାସର ଚତୁର୍ଥ ଶନିବାର ଏବଂ ସେପ୍ଟେମ୍ବର 27 ତାରିଖ ହେଉଛି ରବିବାର, ତେଣୁ ବ୍ୟାଙ୍କ ଏହି 2 ଦିନ ବନ୍ଦ ରହିବ । ଏହା ପରେ, ସେପ୍ଟେମ୍ବର 28 ତାରିଖ (ସୋମବାର)ରୁ ତିନି ଦିନିଆ ଧର୍ମଘଟ ଆରମ୍ଭ ହେବ । ବୁଧବାର (ସେପ୍ଟେମ୍ବର 30) ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ । ଏହିପରି, ଶନିବାରରୁ ବୁଧବାର ପର୍ଯ୍ୟନ୍ତ ମୋଟ 5 ଦିନ ପାଇଁ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିପାରିବ ।








