ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଏଜେଣ୍ଡା ପ୍ରସ୍ତୁତ, ଅପେକ୍ଷା କେବଳ ବିଧାନସଭା ଅଧିବେଶନକୁ । କାରଣ ଏବେଠୁ ତାତିଲେଣି ବିରୋଧି, ସରକାରଙ୍କ ବିରୋଧରେ ଦେବେ ଯୁଦ୍ଧଂଦେହୀ ଡାକରା । ସେ ଏମଏମଡିଆର ହେଉ ଅବା ବହି ତ୍ରୁଟି ହେଉ ଲଢ଼ିବେ ଆରପାରର ଲଢ଼େଇ । ହେଲେ ଗୃହ ଚାଲିବ ନା ଅଚଳ ରହିବ ତାହା ସବୁଠୁ ବଡ଼ ପ୍ରଶ୍ନ…ଏମ୍ଏମ୍ଡିଆର ବିଲ୍, ବହି ତ୍ରୁଟି, ଚାଷୀ ପଞ୍ଜୀକରଣ, ୟୁପିଆଇ ପେମେଣ୍ଟ ପ୍ରସଙ୍ଗ ।
ବିରୋଧି ଖୋଜୁଥିଲେ ସୁଯୋଗ ଆଉ ମଞ୍ଚ। ଏସବୁ ଭିତରେ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ସ୍ବଳ୍ପକାଳୀନ ଅବଧି ଥିଲେ ବି ବେଶ୍ ହୁଲୁସ୍ତୁଲ୍ ହୋଇପାରେ ଗୃହକାର୍ଯ୍ୟ । କାରଣ ବିରୋଧିଙ୍କ ହାବଭାବ, ମିଜାଜ ଆଉ ରଣନୀତିରୁ ତାହା ସ୍ପଷ୍ଟ ବାରି ହେଉଛି । ଘେରିବେ ବିରୋଧୀ, କେମିତି ମୁକାବିଲା କରିବେ ସରକାର? ବିଜେଡି ଏଜେଣ୍ଡା, ଏମ୍ଏମ୍ଡିଆର୍, ୟୁପିଆଇ ପେମେଣ୍ଟ୍, ବହି ତ୍ରୁଟି, ଚାଷୀ ପଞ୍ଜୀକରଣ, କଂଗ୍ରେସ, ଚାଷୀ, ଆଇନଶୃଙ୍ଖଳା, କେନ୍ଦ୍ର ଅବହେଳା, ଖଣି ସଂଶୋଧନ ବିଲ୍, ବହି ତ୍ରୁଟିରେ ମନ୍ତ୍ରୀଙ୍କ ଇସ୍ତଫା, ଛାତ୍ର ସଂସଦ ନିର୍ବାଚନ ଆଦି ବିଭିନ୍ନ ପ୍ରସଙ୍ଗକୁ ସରକାରଙ୍କୁ ଘେରିବ ବିରୋଧୀ ।ବିରୋଧୀ ଯେଉଁ ସବୁ ପ୍ରସଙ୍ଗ ଉଠାଇବେ, ଜବାବି ଢ଼ଙ୍ଗରେ ଏହାର ମୁକାବିଲା କରାଯିବ ବୋଲି କହିଛି ଶାସକ ଦଳ। ଆସନ୍ତା ୨୧ତାରିଖରେ ରହିଛି ବିଜେପି ବିଧାୟକ ଦଳ ବୈଠକ । କେମିତି ବିରୋଧିଙ୍କ ଅସ୍ତ୍ରକୁ ପ୍ରଭାବହୀନ କରାଯିବ ସେନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରିବ ଦଳ । ଏସବୁ ଭିତରେ ସୁରୁଖୁରୁରେ ଗୃହ ପରିଚାଳନା ପାଇଁ ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ହେଲେ ପ୍ରଶ୍ନ ଉଠିଛି, ରାଜ୍ୟ ସ୍ବାର୍ଥ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ନାଁ ପୂର୍ବଭଳି ଗୃହକୁ ଅଚଳ କରି ଦିଆଯିବ ।





