ବୁଗୁଡ଼ା,୨୧/୦୯ ଜେଏମଜେ ନ୍ୟୁଜ(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଅବକାରୀ ଥାନା ପକ୍ଷରୁ ଅଚାନକ ଚଢାଉ କରାଯାଇ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀଠାରେ ଏକ ସ୍କୁଟି ସହ ୮ କେଜି ଗଞ୍ଜେଇ ଜବତ କରି ଜଣେ ଆସାମୀଙ୍କୁ ଗିରଫ ସହ ସୋମବାର ଦିନ କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲ୍ଲାର ସାରଙ୍ଗଗଡ ଗ୍ରାମର ପ୍ରକାଶ ଚନ୍ଦ୍ର ଗୌଡ । ଏ ନେଇ ବୁଗୁଡ଼ା ଅବକାରୀ ଥାନାରେ କେସ୍ ନଂ ୯୪/୨୬-୨୭ ରେ ଏକ ମାମଲା ରୁଜୁ ହୋଇଥିବା ସଂପକ୍ତ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସେନାପତିଙ୍କଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ, ରବିବାର ସନ୍ଧ୍ୟାରେ ପ୍ରକାଶ ନିଜ ହୋଣ୍ଡା ଗାର୍ଜିଆ ସ୍କୁଟି(ଓଡି-୧୨ସି ୨୭୯୯)ରେ କନ୍ଧମାଳରୁ ନୟାଗଡକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଥାନା ଅଧିକାରୀଙ୍କ ନେତୃତ୍ବରେ ଅବକାରୀ ବାହିନୀ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଚଢିଆପଲ୍ଲୀଠାରେ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ତା’ପରେ ୮ କେଜି ଗଞ୍ଜେଇ ସହ ସ୍କୁଟିକୁ ଜବତ କରି ତାଙ୍କୁ ଗିରଫ କରି ଭଞ୍ଜନଗର କୋର୍ଟକୁ ଚାଲାଣ କରିଛନ୍ତି। ଉକ୍ତ ଚଢାଉ କାର୍ଯ୍ୟରେ ଅବକାରୀ କନଷ୍ଟେବଲ ସୁବଳ ପ୍ରଧାନ, କାମନା କୁମାର ବେହେରା ଓ କୃଷ୍ଣଚନ୍ଦ୍ର ସେଠୀ ସାମିଲ ଥିଲେ।







