ଜେଏମଜେ ବ୍ୟୁରୋ : ଅଙ୍ଗନବାଡ଼ି କର୍ମୀଙ୍କ ନିଯୁକ୍ତି ସମ୍ବନ୍ଧୀୟ ବଡ଼ ନିଷ୍ପତ୍ତି ନେଇଛି ମହିଳା ଓ ଶିଶୁ ବିକାଶ ବିଭାଗ । ବୟସ ଆଧାରରେ ଅଙ୍ଗନବାଡ଼ି କର୍ମୀଙ୍କର ହେବ ବାର୍ଷିକ ସମୀକ୍ଷା । ୫୫ ବର୍ଷ କିମ୍ବା ତାହାଠାରୁ ଉର୍ଦ୍ଧ ବୟସ୍କା ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ଉପଜିଲ୍ଲାପାଳ । କାର୍ଯ୍ୟ ସନ୍ତୋଷଜନକ ନ ଥିଲେ ପଦ ଯାଇପାରେ ।ଏହାକୁ ନେଇ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅଙ୍ଗନବାଡ଼ି କର୍ମୀଙ୍କୁ ‘ହାତରେ ନ ମାରି ଭାତରେ ମାରିବା’ ଲାଗି ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅଙ୍ଗନବାଡ଼ି ସଂଘ ଅଭିଯୋଗ କରିଛି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଉପଜିଲ୍ଲାପାଳଙ୍କୁ ଚିଠି ହୋଇଛି । ତଦ୍ଦନୁଯାୟୀ, ଏହି ବୟସ ବର୍ଗର ଅଙ୍ଗନବାଡ଼ି କର୍ମୀଙ୍କ ନ୍ୟସ୍ତ ଦାୟିତ୍ୱ ଓ ଦକ୍ଷତାକୁ ପ୍ରତି ବର୍ଷ ସମ୍ପୃକ୍ତ ଉପଜିଲ୍ଲାପାଳମାନେ ସମୀକ୍ଷା କରିବେ । ସମୀକ୍ଷା ସମୟରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା, ପୋଷଣ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟ, ଶିଶୁଙ୍କ ଶାରୀରିକ ବିକାଶ ନିରୀକ୍ଷଣ, ରେକର୍ଡ ରକ୍ଷଣାବେକ୍ଷଣ, ପୋଷଣ ଟ୍ରାକର ଓ ଅନ୍ୟ ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର, ସମୁଦାୟକୁ ସଚେତନ ଓ ସକ୍ରିୟ କରିବା, ରିପୋର୍ଟ ପ୍ରଦାନ ଏବଂ ପର୍ଯ୍ୟବେକ୍ଷଣ ଅଧିକାରୀଙ୍କ ସହ ସମନ୍ୱୟ ରଖିବା କ୍ଷେତ୍ରରେ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ବିଚାରକୁ ନିଆଯିବ । ଯଦି କୌଣସୀ କର୍ମୀ ନିଜର କର୍ତ୍ତବ୍ୟ ସନ୍ତୋଷଜନକ ଭାବେ ସମ୍ପାଦନ କରିବାରେ ଅସମର୍ଥ ବୋଲି ଜଣାପଡ଼େ, ତାଙ୍କୁ ନିଜର ପକ୍ଷ ରଖିବା ପାଇଁ ସୁଯୋଗ ଦିଆଯିବା ପରେ ପଦରୁ ଅବ୍ୟାହତି ଦିଆଯାଇପାରେ ।ସୂଚନାଯୋଗ୍ୟ, ଅଙ୍ଗନବାଡ଼ି କର୍ମୀ ଚୟନ ଓ ନିଯୁକ୍ତି ୨୦୦୭ ସଂଶୋଧିତ ନିଯୁକ୍ତି ନିୟମାବଳୀ ଅନୁଯାୟୀ, ୫୫ ବର୍ଷ ବୟସରେ ସେମାନେ ଦାୟିତ୍ୱ ନିର୍ବାହ କରିବାକୁ ସକ୍ଷମ ନା ନୁହେଁ ତଦାରଖ ପାଇଁ ମଧ୍ୟ ନିୟମ ରହିଛି । କିନ୍ତୁ ୨୦୧୦ରେ ଅଙ୍ଗନବାଡ଼ି କର୍ମୀଙ୍କ ଅବସର ବୟସ ୬୦ ବର୍ଷ କରିବାକୁ ନିଷ୍ପତ୍ତି ହୋଇଥିଲା । ଏନେଇ କର୍ମୀମାନେ ଆନ୍ଦୋଳନ କରିବାକୁ ୨୦୧୯ରେ ଏହାକୁ ୬୨ ବର୍ଷ ଯାଏ ସମ୍ପ୍ରସାରିତ କରାଗଲା । କିନ୍ତୁ ଏବେ ପୁଣି ୨୦୦୭ର ନିୟମାବଳୀର ଗୋଟିଏ ଶିରାକୁ ଧରି ଏହି ବାର୍ଷିକ ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ବିଭାଗ । ଯାହା ରାଜ୍ୟର ହଜାର ହଜାର ଅଙ୍ଗନବାଡ଼ି କର୍ମୀଙ୍କ ଭିତରେ ଆକ୍ରୋଶ ବଢାଇଛି । ଏନେଇ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖିଥିବା ବେଳେ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ଆସନ୍ତା ୩୦ ତାରିଖରେ ବିଧାନସଭା ସାମ୍ନାରେ ବିଶାଳ ବିକ୍ଷୋଭ ପାଇଁ ଡାକରା ଦେଇଛି । ଏଠାରେ ଉଲ୍ଲେଖ ଥାଉ କି, କେନ୍ଦ୍ର ସରକାରଙ୍କ ନିୟମାନୁସାରେ ଅଙ୍ଗନବାଡ଼ି ସ୍ତରରେ ସବୁ କାର୍ଯ୍ୟ ଅନ୍ଲାଇନ୍ ବା ଡିଜିଟାଲ୍ ମାଧ୍ୟମରେ ହେଉଛି ।
ତେବେ ଅଫ୍ଲାଇନ୍ ରେକର୍ଡ ଯାଞ୍ଚ କରି କାର୍ଯ୍ୟଦକ୍ଷତା ସମୀକ୍ଷା କରାଯିବ କାହିଁକି! ସେହିପରି ପୋଷଣ ଟ୍ରାକ୍ ଆପ୍ ବ୍ୟବହାର ବାବଦରେ ଅଙ୍ଗନବାଡ଼ି କର୍ମୀଙ୍କୁ କୌଣସି ତାଲିମ୍ ମଧ୍ୟ ଦିଆଯାଇନାହିଁ । ଆଉ ଡିଜିଟାଲ୍ରେ କାମ କରିବାକୁ ବିଭାଗୀୟ ଚାପରେ ସେମାନେ ଚେପା ହୋଇଗଲେଣି । ଏହାବାଦ୍ ଆଇସିଡିଏସ୍ ଅନ୍ତର୍ଗତ ପୋଷଣ ଦାୟିତ୍ୱ ବୁଝିବାକୁ ବ୍ଲକସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ଯାଏ ନିର୍ଦ୍ଦିଷ୍ଟ କର୍ମଚାରୀ ଓ ଅଧିକାରୀ ନିଯୁକ୍ତ ଅଛନ୍ତି । ସେହିପରି ସେକ୍ଟରରେ ସୁପରଭାଇଜର୍, ବ୍ଲକରେ ସିଡିପିଓ ଏବଂ ଜିଲ୍ଲାରେ ଡିଏସଡବ୍ଲୁଓମାନେ ମଧ୍ୟ ତଦାରଖ କରୁଛନ୍ତି । ଏତେ ସବୁ ବ୍ୟବସ୍ଥା ସତ୍ତେ୍ୱ କେବଳ ବୟସ ଆଧାରରେ ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା କରି ପଦଚ୍ୟୁତ କରାଯିବ କାହିଁକି । ଯଦିଓ ଅଙ୍ଗନବାଡ଼ି କର୍ମୀ ଭୁଲ କଲେ କିମ୍ବା ଦାୟିତ୍ୱରେ ଅବହେଳା କଲେ ନିୟମାବଳୀ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ରହିଛି ।
ବ୍ୟୁରୋ ରିପୋର୍ଟ jmj ନ୍ୟୁଜ






