ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଦକ୍ଷିଣ ଓଡ଼ିଶାରେ ବର୍ଷାର ତାଣ୍ଡବ । ଲଗାଣ ବର୍ଷା ଯୋଗୁଁ ଫୁଲୁଛି ନଦୀ, ବଢୁଛି ଜଳସ୍ତର । ରାସ୍ତା ଉପରେ ଚାଲିଛି ବନ୍ୟା ପାଣି, ଠପ୍ ହୋଇଯାଇଛି ଯାତାୟାତ । ଆହୁରି ୨ ଦିନ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଗାମୀ ଦିନରେ ନଦୀରେ ଜଳସ୍ତର ବିପଦ ସଂକେତ ଟପିବା ସହିତ ବନ୍ୟା ସ୍ଥିତି ଆଣିପାରେ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବଢ଼ିଲା ସ୍କୁଲ ଛୁଟି । ରାଜ୍ୟର ୫ ଜିଲ୍ଲାରେ ସ୍କୁଲ ଛୁଟି ବଢାଇଲେ ସ୍ଥାନୀୟ ପ୍ରଶାସନ । କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ବଢାଇବାକୁ ଘୋଷଣା କରିଥିଲେ ଗଣଶିକ୍ଷା ମନ୍ତ୍ରୀ ।
ଆହୁରି ୨ ଦିନ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଆଗାମୀ ଦିନରେ ନଦୀରେ ଜଳସ୍ତର ବିପଦ ସଂକେତ ଟପିବା ସହିତ ବନ୍ୟା ସ୍ଥିତି ଆଣିପାରେ । ତେବେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅନୁସାରେ ଏଯାଏଁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ଆସିନି ।
ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷାର ବିପତ୍ତି । ଦକ୍ଷିଣରୁ ଉତ୍ତର, ସବୁଠି ଜଳପ୍ରଳୟ ଓ ଭୂ-ସ୍ଖଳନର ସଂକଟ । କେଉଁଠି ଘାଟି ରାସ୍ତାରେ ବିରାଟକାୟ ପଥର ଖସି ଯାତାୟାତ ଠପ୍ ହୋଇଛି, ତ ଆଉ କେଉଁଠି ପୁରୁଣା ସେତୁ ଉପରେ ବୋହି ଚାଲିଛି ବନ୍ୟାପାଣି । ଅନ୍ୟପଟେ ଉପାନ୍ତରୁ ଉପକୂଳ, ସବୁଠି ଗଛ ଭାଙ୍ଗି, କାନ୍ଥ ଭୁଷୁଡ଼ି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ପ୍ରବଳ ପବନ ଓ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି । ରାୟଗଡ଼ା ସେସଖାଲ, ଗଜପତିର ଗୁମ୍ମା ଓ ମୋହନା, ଭଦ୍ରକ ଧାମନଗର, ବାଲେଶ୍ୱର ADM ଛକ ଏବଂ କଟକ ବକ୍ସି ବଜାର ନିକଟରେ ଥିବା ପୁରାତନ ଗଛ ଭାଙ୍ଗିପଡ଼ିଥିଲା । ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ଗଛ କାଟି ରାସ୍ତା ସଫା କରିଛନ୍ତି । ଯାଜପୁର ଦଶରଥପୁର ଅଞ୍ଚଳରେ ଗଛ ପଡ଼ି ଦୁର୍ଗା ମନ୍ଦିର ଓ ଟାଟା ମ୍ୟାଜିକ୍ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ଗଜପତି ମୋହନା ବ୍ଲକର ତଲାସିଂ ଗ୍ରାମରେ ଲଗାଣ ବର୍ଷାରେ ଘର କାନ୍ଥ ଭୁଷୁଡ଼ି ପଡ଼ିବାରୁ ଜଣେ ମହିଳା ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ବର୍ଷାର କୋପ ଜାରି ରହିବାକୁ ଥିବାରୁ ବିଶେଷ କରି ଘାଟି ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।





