କୋରାପୁଟ : ଜେଏମଜେ ନ୍ୟୁଜ : କୋରାପୁଟ ଜିଲ୍ଲାର ବର୍ଷା ଓ ବନ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିବା ପାଇଁ ଆଜି (ରବିବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟପୁର ଗସ୍ତରେ ଆସିଥିଲେ। ଏହି ଅବସରରେ ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତି ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।
ଚାଷୀଙ୍କ ଋଣ ଛାଡ଼ କରିବା, ପେପର ମିଲର ପୁନରୁଦ୍ଧାର, କୋଲାବ, ତେଲେଙ୍ଗିରି ନୂଆ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଦୁଇଟି ପୃଥକ ଦାବିପତ୍ର ପ୍ରଦାନ କରିଛନ୍ତି।
ବିଧାୟକ ବାହିନିପତିଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଦାବିପତ୍ରରେ, ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ଛାଡ଼ କରିବା ସହ ତୁରନ୍ତ କ୍ଷତିପୂରଣ ଓ ପୁନଃଚାଷ ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବି କରାଯାଇଛି। ବନ୍ୟାରେ ଚାଷୀଙ୍କ ଆୟର ପ୍ରମୁଖ ଉତ୍ସ ଫସଲ ନଷ୍ଟ ହୋଇଥିବାରୁ ସେମାନଙ୍କ ଉପରେ ଋଣ ବୋଝ ଅଧିକ ନହେବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି। ସେହିପରି ଜୟପୁରର ଶିଳ୍ପ ଓ ଅର୍ଥନୀତି ସହ ଜଡ଼ିତ ସେବା ପେପର ମିଲ୍ର ପୁନରୁଦ୍ଧାର ପ୍ରସଙ୍ଗ ଉପସ୍ଥାପିତ କରିଥିଲେ। କାରଖାନାର ଶ୍ରମିକମାନଙ୍କୁ ଅଗଷ୍ଟ ୨୦୨୪ରୁ ଦରମା ମିଳିନଥିବା, କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି ବାବଦ ଅର୍ଥ ଜମା ହୋଇନଥିବା ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଓ ଛୁଟି ନଗଦୀକରଣ ଅର୍ଥ ଅଟକି ରହିଥିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପେପର ମିଲ୍ର ପୁନରୁଦ୍ଧାର ସହ ଶ୍ରମିକ ଓ କର୍ମଚାରୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଗାମୀ ବିଧାନସଭା ଅଧିବେଶନ ସମୟରେ ଶିଳ୍ପ ମନ୍ତ୍ରୀ ଓ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବା ସହ କାରଖାନାକୁ କାର୍ଯ୍ୟକ୍ଷମ କରିବା ନେଇ ପଦକ୍ଷେପ ନିଆଯିବ ବୋଲି କହିଥିବା ବିଧାୟକ ସୂଚନା ଦେଇଛନ୍ତି। ସେହିପରି ଅପର କୋଲାବ ଓ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ ଅଧୀନରେ ପ୍ରସ୍ତାବିତ ନୂତନ କାର୍ଯ୍ୟଗୁଡ଼ିକର ବିଳମ୍ବ ନେଇ ମଧ୍ୟ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ସଂକ୍ରାନ୍ତରେ ୨୦୨୨ରୁ ଦାବିପତ୍ର ପ୍ରଦାନ କରାଯାଇଥିବାରୁ ବିଧାନସଭାରେ ଏ ସଂକ୍ରାନ୍ତରେ କେବଳ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ୨୦୨୨-୨୩ରୁ ୨୦୨୫-୨୬ ପର୍ଯ୍ୟନ୍ତ ୪ଟି ଆର୍ଥିକ ବର୍ଷ ବିତିଯାଇଥିବା ସତ୍ତ୍ୱେ ପ୍ରସ୍ତାବଗୁଡ଼ିକ ବିଭାଗୀୟ ଯାଞ୍ଚରେ ସୀମିତ ରହିଥିବା ନେଇ ବିଧାୟକ କହିଛନ୍ତି।
ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକ କାର୍ଯ୍ୟକାରୀ ହେଲେ ପ୍ରାୟ ୧୬ ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ।ଏଥିରେ ଉଠାଜଳସେଚନ ପ୍ରକଳ୍ପରେ ୧୩ ହଜାର ହେକ୍ଟର, ଅତିରିକ୍ତ ଆୟକଟରେ ୧୬୦୦ ହେକ୍ଟର ଓ ହଜିଯାଇଥିବା ୧୪୦୦ ହେକ୍ଟର ଆୟକଟର ପୁନରୁଦ୍ଧାର ଜମି ଜଳସେଚିତ ହେବା ସହ ୧.୨୦ ମେଗାୱାଟ୍ର ସବୁଜ ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ସୃଷ୍ଟି ହୋଇପାରିବ ବୋଲି ଦାବିପତ୍ରରେ ଦର୍ଶାଯାଇଛି। ତେଣୁ ୨୦୨୬-୨୭ ଆର୍ଥିକ ବର୍ଷରେ ପ୍ରସ୍ତାବିତ ନୂତନ କାର୍ଯ୍ୟଗୁଡ଼ିକୁ ଅନୁମୋଦନ କରି ୨୦୨୭-୨୮ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମୟସୀମା ଧାର୍ଯ୍ୟ କରିବା ପାଇଁ ବିଧାୟକ ଦାବି କରିଛନ୍ତି।






