ବୌଦ୍ଧ : ଜେଏମଜେ ନ୍ୟୁଜ : ୨୦୨୪ ବିଧାନସଭା ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ (ଆଫିଡେଭିଟ୍) ଦାଖଲ କରିଥିବା ଅଭିଯୋଗ ସମ୍ପର୍କିତ ଏକ ମାମଲାରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନଙ୍କ ବିରୋଧରେ ସ୍ଥାନୀୟ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି।ପୂର୍ବତନ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଏହି ମାମଲାରେ ବୌଦ୍ଧ SDJM କୋର୍ଟରେ ଅଭିଯୋଗ କରିଥିଲେ।
ନିର୍ବାଚନ ସମୟରେ ସରୋଜ ପ୍ରଧାନ ମିଥ୍ୟା ଆଫିଡେଭିଟ୍ ଦାଖଲ କରିଥିବା ସେ ଅଭିଯୋଗ କରିଥିଲେ। ଏହାପରେ କୋର୍ଟ ମାମଲାକୁ ଗ୍ରହଣ କରି ଶୁଣାଣି ଆରମ୍ଭ କରିଥିଲେ। ମାମଲାରେ ନିଜ ପକ୍ଷ ରଖିବା ପାଇଁ କୋର୍ଟ ସରୋଜ ପ୍ରଧାନଙ୍କୁ ହାଜର ହେବାକୁ ନୋଟିସ୍ ଜାରି କରିଥିଲେ। ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପ୍ରଧାନ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କୁ ୧୨ ସପ୍ତାହ ସମୟ ଦେଇଥିଲେ।
୧୨ ସପ୍ତାହର ସମୟସୀମା ଶେଷ ହେବା ପରେ ମଧ୍ୟ ପ୍ରଧାନ SDJM କୋର୍ଟରେ ହାଜର ହୋଇନଥିଲେ। ସେ ବାରମ୍ବାର ଅଧିକ ସମୟ ମାଗିଥିବା ସତ୍ତ୍ୱେ କୋର୍ଟରେ ହାଜର ହୋଇନଥିଲେ। ପ୍ରଧାନଙ୍କ ଲଗାତାର ଅନୁପସ୍ଥିତି ପରେ ସେପ୍ଟେମ୍ବର ୨୫ ତାରିଖରେ ବୌଦ୍ଧ SDJM କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।






