ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଏମ୍ଏମ୍ଡିଆର୍ ଆଇନକୁ ନେଇ ଓଡ଼ିଶାରେ ବିରୋଧ ତୀବ୍ର ହେବାରେ ଲାଗିଛି। ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାର ପ୍ରସଙ୍ଗକୁ ନେଇ ଆସନ୍ତାକାଲି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଏମ୍ଏମ୍ଡିଆର୍ ଆଇନର ବିରୋଧ କରି ରାଜ୍ୟର ହକ୍ ପାଇଁ ଆନ୍ଦୋଳନ କରାଯିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଆସନ୍ତାକାଲି ବିଧାନସଭା ଘେରାଉ କାର୍ଯ୍ୟକ୍ରମ ନେଇ କଂଗ୍ରେସ ପୂର୍ବରୁ ଘୋଷଣା କରିଥିଲା ।
କଂଗ୍ରେସର ଅଭିଯୋଗ ଅନୁସାରେ, ସଂଶୋଧିତ ଏମ୍ଏମ୍ଡିଆର୍ ଆଇନ ଓଡ଼ିଶାର ଖଣିଜ ସମ୍ପଦ, ରାଜସ୍ୱ ଓ ଖଣି ଅଞ୍ଚଳର ଲୋକଙ୍କ ଅଧିକାର ଉପରେ ପ୍ରଭାବ ପକାଇପାରେ।
ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ରାଜ୍ୟର ବିକାଶ ଓ ଲୋକଙ୍କ କଲ୍ୟାଣରେ ବ୍ୟବହାର ହେବା ଉଚିତ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ଦାବିକୁ ନେଇ ଅଗଷ୍ଟ ମାସରେ କଂଗ୍ରେସ ଓ ବାମ ଦଳ ସମେତ INDIA ବ୍ଲକ୍ ବିଧାନସଭା ଘେରାଉର ଘୋଷଣା କରିଥିଲା । ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ଲଗାତାର ପ୍ରତିବାଦ କରିଛନ୍ତି। ସେପ୍ଟେମ୍ବର ୨୩ରେ କଂଗ୍ରେସ ବିଧାୟକମାନେ ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାର ଦାବି କରି ପୋଷ୍ଟର ଓ ସ୍ଲୋଗାନ ସହ ପ୍ରତିବାଦ କରିଥିଲେ। ପରବର୍ତ୍ତୀ ଦିନ ବିଜେଡି ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ ସହ ମିଶି ବିରୋଧ ପ୍ରଦର୍ଶନ କରିଥିଲା। ଏହା ଯୋଗୁଁ ବିଧାନସଭା କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।
କଂଗ୍ରେସର କହିବା କଥା, ବିଧାନସଭା ଭିତରେ ପ୍ରସଙ୍ଗ ଉଠାଇବା ସତ୍ତ୍ୱେ ସରକାରଙ୍କ ପକ୍ଷରୁ ଦାବି ଉପରେ ପଦକ୍ଷେପ ନିଆଯାଇନଥିବାରୁ ଏବେ ରାଜରାସ୍ତାରେ ଆନ୍ଦୋଳନ କରାଯିବ। ଆସନ୍ତାକାଲିର କାର୍ଯ୍ୟକ୍ରମରେ ରାଜ୍ୟର ଖଣିଜ ସମ୍ପଦ ଓ ଅଧିକାର ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ରହିବ । ତେବେ ଏମ୍ଏମ୍ଡିଆର୍ ସଂଶୋଧନକୁ ନେଇ ବିଜେପି ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ମତଭେଦ ଜାରି ରହିଛି। ବିରୋଧୀ ଦଳଗୁଡ଼ିକ ଆଇନ ପ୍ରତ୍ୟାହାର ଦାବି କରୁଥିବା ବେଳେ ସରକାରୀ ପକ୍ଷରୁ ଏହି ଆଇନ ଓଡ଼ିଶା ପାଇଁ କ୍ଷତିକାରକ ବୋଲି ଉଠୁଥିବା ଅଭିଯୋଗକୁ ଖଣ୍ଡନ କରାଯାଇଛି। ଏହି ବିବାଦ ମଧ୍ୟରେ ଆସନ୍ତାକାଲିର କଂଗ୍ରେସ ଆନ୍ଦୋଳନ ଉପରେ ଏବେ ନଜର ରହିଛି ।







