ଭୁବନେଶ୍ୱର: ଜେଏମଜେ ନ୍ୟୁଜ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ତାଙ୍କ ସହ ଆସିଛନ୍ତି ନବନିଯୁକ୍ତ ସହପ୍ରଭାରୀ ଡ. ସ୍ୱଦେଶ ସିଂ। ଦାୟିତ୍ୱ ମିଳିବା ପରେ ଉଭୟଙ୍କ ଏହି ଓଡ଼ିଶା ଗସ୍ତକୁ ଦଳୀୟ ସଂଗଠନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଦୁଇ ଦିନ ଧରି ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ତେବେ ଭୁବନେଶ୍ୱର ପହଞ୍ଚିବା ପରେ ଡି. ପୁରନ୍ଦେଶ୍ୱରୀ କହିଛନ୍ତି, ସରକାର ଓ ସଂଗଠନ ମଧ୍ୟରେ ମିଳିତ ସମନ୍ୱୟ ନେଇ ଆଗକୁ ବଢିବୁ। ଦ୍ଵିତୀୟ ଥର ଦାୟିତ୍ୱ ମିଳିଛି, ବିଜେପିକୁ ଆହୁରି ମଜଭୁତ ହେବ।
ବିଜେପି ପକ୍ଷରୁ ସେପ୍ଟେମ୍ବର ୨୩ରେ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ପ୍ରଭାରୀ ଏବଂ ସ୍ୱଦେଶ ସିଂଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା। ଏହି ଦୁଇ ନେତାଙ୍କ ଗସ୍ତରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପଦାଧିକାରୀ ବୈଠକ ହେବ। ସାଙ୍ଗଠନିକ ଜିଲ୍ଲାଗୁଡ଼ିକର ପ୍ରଭାରୀଙ୍କ ସହ ଦଳର ସ୍ଥିତି, ସାଙ୍ଗଠନିକ କାର୍ଯ୍ୟକଳାପ ଓ ତୃଣମୂଳସ୍ତରରେ ଦଳର କାର୍ଯ୍ୟକୁ ନେଇ ଆଲୋଚନା କରାଯିବ। ପୁରନ୍ଦେଶ୍ୱରୀ ଏହି ବୈଠକରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ମଧ୍ୟ ନେତା ଓ ପଦାଧିକାରୀଙ୍କ ସହ ଆଲୋଚନା କରିବେ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସାଙ୍ଗଠନିକ ପ୍ରସ୍ତୁତି ମଧ୍ୟ ଏହି ଗସ୍ତର ଏକ ପ୍ରମୁଖ ଦିଗ ହୋଇପାରେ।
ପୁରନ୍ଦେଶ୍ୱରୀ ପୂର୍ବରୁ ମଧ୍ୟ ଓଡ଼ିଶା ସଂଗଠନର ଦାୟିତ୍ୱ ସମ୍ଭାଳିଛନ୍ତି । ଏଥର ସେ ଏମିତି ସମୟରେ ଦାୟିତ୍ୱ ନେଇଛନ୍ତି, ଯେତେବେଳେ ରାଜ୍ୟରେ ବିଜେପି ସରକାରରେ ରହିଛି ଏବଂ ଆଗକୁ ସ୍ଥାନୀୟ ନିର୍ବାଚନ ପାଇଁ ଦଳ ସଂଗଠନକୁ ପ୍ରସ୍ତୁତ କରୁଛି । ତେଣୁ ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପୁରନ୍ଦେଶ୍ୱରୀଙ୍କ ଏହି ଦୁଇ ଦିନିଆ ଗସ୍ତରେ ସଂଗଠନ, ସରକାର-ଦଳ ସମନ୍ୱୟ ଏବଂ ଆଗାମୀ ନିର୍ବାଚନ ପ୍ରସ୍ତୁତି ଏହି ପ୍ରମୁଖ ପ୍ରସଙ୍ଗ ଉପରେ ଫୋକସ୍ ରହିବାର ସମ୍ଭାବନା ରହିଛି ।








