ଜେଏମଜେ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟ ଚୋରି ଅଭିଯୋଗକୁ ନେଇ ଦେଶରେ ରାଜନୈତିକ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ଜ୍ଞାନେଶ କୁମାରଙ୍କ ସମେତ ଅନ୍ୟ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ସେପଟେ ଜ୍ଞାନେଶ କୁମାର ଦିଲ୍ଲୀ ବାହାରକୁ ଯିବାକୁ ଥିବା ନିଜର ସମସ୍ତ ଗସ୍ତକୁ ଆଗାମୀ କିଛି ଦିନ ପାଇଁ ସ୍ଥଗିତ ରଖିଛନ୍ତି ।
ସୁରକ୍ଷା ଏଜେନ୍ସିର ସୂତ୍ର ଅନୁଯାୟୀ, ଜ୍ଞାନେଶ କୁମାରଙ୍କୁ ପୂର୍ବରୁ ଜେଡ୍ ପ୍ଲସ୍ ସୁରକ୍ଷା ମିଳିଛି । ତଥାପି ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କ ସହ ତାଙ୍କ ପରିବାର ଏବଂ ଦିଲ୍ଲୀ ଓ ଉତ୍ତରପ୍ରଦେଶର ଆଗ୍ରାରେ ଥିବା ତାଙ୍କ ଘରର ସୁରକ୍ଷା ସମୀକ୍ଷା କରାଯାଇଛି । ଆବଶ୍ୟକତା ଅନୁସାରେ ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରାଯାଇଛନ୍ତି ।
ସୁରକ୍ଷା ଏଜେନ୍ସିର ସୂତ୍ର ଅନୁଯାୟୀ, ଜ୍ଞାନେଶ କୁମାରଙ୍କ ଘରୁ କାର୍ଯ୍ୟାଳୟ କିମ୍ବା ଅନ୍ୟ ସ୍ଥାନକୁ ଯିବା ଆସିବାର ସମୟ ଓ କାର୍ଯ୍ୟକ୍ରମକୁ ଗୋପନ ରଖାଯାଉଛି । ଯାତ୍ରା ସମୟରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଦିଲ୍ଲୀରେ ଥିବା ତାଙ୍କ ସରକାରୀ ବାସଭବନ ଏବଂ ନିର୍ବାଚନ ସଦନ କାର୍ଯ୍ୟାଳୟକୁ ସେ ପୂର୍ବଭଳି ଯାତାୟାତ କରୁଛନ୍ତି । ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଚାରିପଟେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି। ଏଥିରେ ରାପିଡ୍ ଆକ୍ସନ ଫୋର୍ସ (RAF)ର ଯବାନ ମଧ୍ୟ ସାମିଲ ଅଛନ୍ତି । କାର୍ଯ୍ୟାଳୟର ଉଭୟ ମୁଖ୍ୟ ଓ ପଛ ଗେଟ୍ରେ ବ୍ୟାରିକେଡ୍ ଲଗାଯିବା ସହ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ଦିଲ୍ଲୀର ସରକାରୀ ବାସଭବନ ଏବଂ ଆଗ୍ରାରେ ଥିବା ପୈତୃକ ଘରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସମୀକ୍ଷା କରାଯାଇଛି । ଦିଲ୍ଲୀରେ ତାଙ୍କ ବାସଭବନକୁ ଆସୁଥିବା ଲୋକଙ୍କ ଯାଞ୍ଚ ପରେ ହିଁ ଭିତରକୁ ଯିବାକୁ ଅନୁମତି ଦିଆଯାଉଛି ।
ଜ୍ଞାନେଶ କୁମାରଙ୍କ ସହ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କ ସୁରକ୍ଷାର ମଧ୍ୟ ସମୀକ୍ଷା କରାଯାଇଛି । ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ମଧ୍ୟ ଅତିରିକ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି । ନିର୍ବାଚନ ଆୟୋଗର ନିୟମିତ କାର୍ଯ୍ୟ ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ତେବେ ତିନି ଜଣ କମିଶନରଙ୍କ ସୁରକ୍ଷାରେ କେତେ ଅତିରିକ୍ତ ଯବାନ ମୁତୟନ ହୋଇଛନ୍ତି କିମ୍ବା କେଉଁ ପ୍ରକାରର ସୁରକ୍ଷା ବଢ଼ାଯାଇଛି, ସେନେଇ ସୁରକ୍ଷା ଏଜେନ୍ସି ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇନାହିଁ ।
ଅନ୍ୟପଟେ ନିର୍ବାଚନ ଆୟୋଗଙ୍କ ବିରୋଧରେ ଚାଲିଥିବା ପ୍ରଦର୍ଶନ ଯୋଗୁଁ ଆସନ୍ତା ବର୍ଷ ପ୍ରାରମ୍ଭରେ ଉତ୍ତରପ୍ରଦେଶ, ପଞ୍ଜାବ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରସ୍ତୁତି ପ୍ରଭାବିତ ହେଉଥିବା ରିପୋର୍ଟରେ ଦାବି କରାଯାଇଛି । ଚଳିତ ସପ୍ତାହରେ ନିର୍ବାଚନ ଆୟୋଗର ଏକ ଟିମ୍ ଗୋଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା । ହେଲେ ଏହି ଗସ୍ତକୁ ଆଗାମୀ କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ସେହିପରି ପଞ୍ଜାବ ସମେତ ଅନ୍ୟ ରାଜ୍ୟକୁ ଯିବାକୁ ଥିବା ନିର୍ବାଚନ ଆୟୋଗର ଅଧିକାରୀଙ୍କ ବିଭିନ୍ନ ଟିମ୍ର କାର୍ଯ୍ୟକ୍ରମକୁ ମଧ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।
ଆବଶ୍ୟକ ପଡ଼ିଲେ ନିର୍ବାଚନ ଆୟୋଗର ଅଧିକାରୀମାନେ ଯେପରି ଦିଲ୍ଲୀରେ ଉପସ୍ଥିତ ରହିପାରିବେ, ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି । ତେବେ ନିର୍ବାଚନ ପ୍ରସ୍ତୁତିରେ କେତେ ବିଳମ୍ବ ହୋଇଛି, ସେନେଇ ସ୍ପଷ୍ଟ ତଥ୍ୟ ମିଳିନାହିଁ ।







