ଜେଏମଜେ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା କଳିଙ୍ଗା ଘାଟିର ବିଭିନ୍ନ ଭୂସ୍ଖଳନ ସ୍ଥାନ ପରିଦର୍ଶନ କରିଥିଲେ । ଏହି ସମୟରେ ଉପଜିଲ୍ଲାପାଳ ଘାଟି ଅଞ୍ଚଳର ରାସ୍ତାର ସ୍ଥିତି, ସମ୍ଭାବ୍ୟ ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନ ଏବଂ ବାତ୍ୟାଜନିତ ପ୍ରବଳ ବର୍ଷାର ପ୍ରଭାବ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।
ଅତ୍ୟଧିକ ବର୍ଷା ଯୋଗୁଁ ଭୂସ୍ଖଳନ ଘଟିବାର ଆଶଙ୍କା ଥିବାରୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବା ସହ ରାସ୍ତାର ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ଭୂସ୍ଖଳନ ପରଠାରୁ ଘାଟି ରାସ୍ତା ଗତ ମାସରୁ ବନ୍ଦ ରହିଥିବା ବେଳେ ଭୂସ୍ଖଳନ ସ୍ଥାନରେ ଗାର୍ଡ ୱାଲ୍ ନିର୍ମାଣ କରି ଏକ ସଂକୀର୍ଣ୍ଣ ରାସ୍ତା ଯାତାୟତ ପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ବାତ୍ୟା ଓ ବର୍ଷ ଫଳରେ ପୁଣି ଭୂସ୍ଖଳନ ଆଶଙ୍କା ରହିଥିବାରୁ ଯାତାୟତକୁ ଅନୁମତି ଦିଆଯାଇନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ମୁଶ୍ରଳ ଧାରାରେ ବର୍ଷା ଦିନସାରା ଜାରି ରହିଥିବା ବେଳେ ଆସନ୍ତାକାଲିର ବର୍ଷାକୁ ନେଇ ଚିନ୍ତା ରହିଛି । ଭୂସ୍ଖଳନ ଭଳି ଅପ୍ରତ୍ୟାଶିତ ପରିସ୍ଥିତି ଉପୁଜିଲେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।ଏହି ସମୟରେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମା,ତହସିଲଦାର ଅଭିପ୍ସା ପଟ୍ଟନାୟକ,ବିଡିଓ ଭାରତୀ ଦେବୀଙ୍କ ସମେତ ସମ୍ପୃକ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ ।







