ଭୁବନେଶ୍ୱର : ଜେଏମଜେ ନ୍ୟୁଜ : ଓଡ଼ିଶାରେ ପର୍ଯ୍ୟଟକଙ୍କ ସୁରକ୍ଷା ବୃଦ୍ଧି ଏବଂ ସେମାନଙ୍କୁ ସମର୍ପିତ ସହାୟତା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଆଗଭର ହୋଇଛନ୍ତି । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସରକାର ୨୯ଟି ମୁଖ୍ୟ ପର୍ଯ୍ୟଟନସ୍ଥଳୀରେ ୩୧ଟି ନୂଆ ଟୁରିଷ୍ଟ ପୁଲିସ୍ ସେଲ୍ (ଟିପିସି) ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏହି ସେଲ୍ ଗୁଡ଼ିକ ଖୋଲିବ ବୋଲି ଜଣାପଡିଛି ।୨୦୧୫ରୁ ରାଜ୍ୟରେ ୮ଟି ଟୁରିଷ୍ଟ ପୁଲିସ୍ ସେଲ୍ କାର୍ଯ୍ୟ କରୁଛି । ସେଗୁଡ଼ିକ ହେଲା ଶ୍ରୀ ଲିଙ୍ଗରାଜ ଥାନା, ଧଉଳି, ନନ୍ଦନକାନନ, ପୁରୀ ସି-ବିଚ୍, କୋଣାର୍କ, ବ୍ରହ୍ମଗିରି, ବ୍ରହ୍ମପୁରର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଥାନା ।
ତେବେ ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ ଦେଖି ସରକାର ଅଧିକ ଟିପିସି ଖୋଲିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି । ୩୧ଟି ସେଲରେ ୪୦୦ କର୍ମଚାରୀ ନିୟୋଜିତ ହେବେ । ନିୟମିତ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ୩୦୦ ଅବସରପ୍ରାପ୍ତ ପୁଲିସ୍ ଓ ସେନା କର୍ମଚାରୀଙ୍କୁ ସ୍ୱତନ୍ତ୍ର ପୁଲିସ୍ ଅଫିସର (ଏସ୍ପିଓ) ଭାବେ ନିୟୋଜିତ କରାଯିବ । ସେଲ୍ ଗୁଡ଼ିକ ଓଡ଼ିଶା ପୁଲିସର ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବ । କର୍ମଚାରୀଙ୍କ ଦରମା ପର୍ଯ୍ୟଟନ ବିଭାଗ ବହନ କରିବ । କର୍ମଚାରୀ ଓ ଏସ୍ପିଓଙ୍କ ପାଇଁ ଭୁବନେଶ୍ୱର ଆଇଆଇଟିଟିଏମ୍ ଦ୍ୱାରା ସ୍ୱତନ୍ତ୍ର ତାଲିମ ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରାଯିବ ।








